ଆନ୍ଧ୍ରର ଦୋମୁହାଁ ନୀତି: କୋରାପୁଟ ସୀମାରେ ବିବାଦର ସମାଧାନ ପାଇଁ ଏପଟେ ଚାଲିଛି ଆଲୋଚନା; ସେପଟେ ଏକପାଖିଆ ଭାବେ ସମ୍ବାଇ ନିକଟରେ ତିଆରି କରୁଛି ପିଚୁ ରାସ୍ତା

ସହମତି ଭିତିରେ ସୀମା ନିର୍ଦ୍ଧାରଣ ପାଇଁ ହୋଇଥିଲା ବୁଝାମଣା

45

କନକ ବ୍ୟୁରୋ: ଲଦାଖ ସୀମାରେ ଚୀନର ଦୋମୁହାଁ ନୀତି ପରି, କୋରାପୁଟ ସୀମାରେ ଚାଲ ଖେଳୁଛି ଆନ୍ଧ୍ରପ୍ରଦେଶ । ସୀମା ବିବାଦର ସମାଧାନ ପାଇଁ ଏପଟେ ଆଲୋଚନା ଜାରି ରଖିଛି । ସେପଟେ ନିଜର ବିସ୍ତାରବାଦୀ ନୀତି ଛାଡୁନାହିଁ ଆନ୍ଧ୍ର । କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ସମ୍ବାଇ ନିକଟରେ ଏକ ପିଚୁ ରାସ୍ତା ନିର୍ମାଣ କରିଛନ୍ତି ଆନ୍ଧ୍ର ସରକାର । ଯାହାକୁ ନେଇ ଓଡିଶା ସୀମାନ୍ତବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ ଅଧିକାରୀଙ୍କୁ ନେଇ ସମ୍ବାଇଠାରେ ଆନ୍ଧ୍ର ପ୍ରତିପକ୍ଷଙ୍କ ସହ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।

ଉଭୟ ରାଜ୍ୟ ନିଜ ନିଜର ସୀମା ମାପଚୁପ ପାଇଁ ସହମତି ପ୍ରକାଶ କରିଥିଲେ । କିଛି ବିଶେଷଜ୍ଞଙ୍କ ତତ୍ୱାବଧାନରେ ଓଡିଶା ତାର ସୀମା ମାପଚୁପ ଶେଷ କରିଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ । ଆନ୍ଧ୍ର ମଧ୍ୟ ସେହିଭଳି ମାପଚୁପ ଶେଷ କରିବା ପରେ ଚୂଡାନ୍ତ ସୀମା ନିର୍ଦ୍ଧାରଣ ପାଇଁ ବୁଝାମଣା ହୋଇଥିଲା । ହେଲେ ଏକପାଖିଆ ଭାବେ ଆନ୍ଧ୍ର ସରକାର ଓଡିଶା ସୀମାରେ ପକ୍କାରାସ୍ତା ନିର୍ମାଣ କରିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ଗଣମାଧ୍ୟମ ଜରିଆରେ ଏହି ଖବର ନଜରକୁ ଆସିବା ପରେ ରାଜସ୍ୱ ବିଭାଗ ଉପଜିଲ୍ଲାପାଳ ଅର୍ଚ୍ଚନା ଦାସ କହିଛନ୍ତି ଏନେଇ ତଦନ୍ତ କରିବା ପରେ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିବେ ।