ଓଡିଶା- ଆନ୍ଧ୍ର ସୀମା ବିବାଦ ବୈଠକରୁ ବାହାରିଲାନି ସମାଧାନ । ଆଲୋଚନା ବେଳେ ଚକମା ଦେଖାଇଲେ ଆନ୍ଧ୍ର ଅଧିକାରୀ, ଦ୍ୱିତୀୟ ରାଉଣ୍ଡ ବୈଠକରୁ ଉଠିଗଲା ଆନ୍ଧ୍ର ।

202

କନକ ବ୍ୟୁରୋ : ଚାଲ୍ ଖେଳୁଛନ୍ତି ଆନ୍ଧ୍ର ସରକାର । ସୀମା ବିବାଦ ନେଇ ଓଡିଶା- ଆନ୍ଧ୍ର ସୀମା ନିର୍ଦ୍ଧାରଣର ଚୁକ୍ତିନାମାରୁ ଓହରି ଯାଇଛି ଆନ୍ଧ୍ର । ଏହା ସହିତ ଅଧାବାଟରେ ରହିଗଲା ବିବାଦର ସମାଧାନ । ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡିଶା-ଆନ୍ଧ୍ର ସୀମା ବିବାଦ ତୁଟିବାକୁ ଯାଉଥିବା ବେଳେ ପୁଣି ଅଧାରେ ଅଟକି ଯାଇଛି । ଫଳାଫଳ ପାଇଁ ପୁଣି ଅପେକ୍ଷା ଆଗାମୀ ବୈଠକକୁ ।

ଅଧାରେ ଅଟକିଲା ସୀମା ବିବାଦର ସମାଧାନ । ଓଡିଶା ସହ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଞ୍ଚାୟତରେ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ସୀମା ବିବାଦ । ଏହାର ସମାଧାନ ପାଇଁ ଗତ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଚଂଳର ଅଧିକାରୀ ସମ୍ବାଇରେ ବୈଠକ କରି ସାମାଧାନର ବାଟ ଖୋଜିଥିଲେ । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ନକ୍ସା ଅନୁସାରେ ୧୯୬୩ ମସିହାରେ ସେଟେଲମେଣ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ନକ୍ସାକୁ ଉଭୟ ରାଜ୍ୟ ମାନିଥିଲେ । ସେହି ଆଧାରରେ ଦ୍ୱିତୀୟ ବୈଠକ ଚାଲିଥିବା ବେଳେ ହଠାତ୍ ପଛକୁ ହଟିଛି ଆନ୍ଧ୍ର । ତେବେ ବୈଠକରେ ସୀମା ଚିହ୍ନଟ ପାଇଁ ୩ ଟି ପଥରକୁ ଆନ୍ଧ୍ର ଗ୍ରହଣ କରିଥିବା ଜଣାପଡିଛି ।

ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ମଧ୍ୟରେ ମୋଟ୍ ୬ଟି ପଥରକୁ ସୀମାର ଲ୍ୟାଣ୍ଡମାର୍କ ଭାବେ ଗ୍ରହଣ କରାଯିବାକୁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଚାଲିଛି । ତେବେ ଆନ୍ଧ୍ର ନିଜର ଜବର ଦଖଲକୁ ନେଇ ଥିବା ଜମି ଓଡ଼ିଶା ମାଟିର ବୋଲି ନକ୍ସା ଯାଞ୍ଚରୁ ସ୍ପଷ୍ଟ ହେବା ପରେ ଆନ୍ଧ୍ର ଅଧିକାରୀ ଏହାକୁ ମାନିଥିବା ବୈଠକରୁ ସୂଚନା ମିଳିଛି । ତେବେ ଏନେଇ ସମାଧାନ ପାଇଁ ପୁଣି ଏକ ବୈଠକ କରିବାକୁ ଯୁକ୍ତି ବାଢିଛି ଆନ୍ଧ୍ର । ପ୍ରଶାସନିକ ଆଲୋଚନା ଜରିଆରେ ଆନ୍ଧ୍ର ଓଡିଶା ମଧ୍ୟରେ ସୀମା ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଦୁଇ ରାଜ୍ୟ ଉଦ୍ୟମ ଚଳାଇଛନ୍ତି ।