କୋଟିଆ ପରେ ଏବେ ଗଜପତି ଉପରେ ଆନ୍ଧ୍ରର ଆଖି ! ଓଡ଼ିଶା ମାଟିରେ ପଶି ଦାଦାଗିରି କରୁଛନ୍ତି ଆନ୍ଧ୍ର ନେତା ।

178

କନକ ବ୍ୟୁରୋ : କୋରାପୁଟର କୋଟିଆ ପରେ ଏବେ ଗଜପତିରେ ଜୋର ହୋଇଛି ଓଡି଼ଶା-ଆନ୍ଧ୍ରପ୍ରଦେଶ କଳି । ଗଜପତି ଜିଲ୍ଲା ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗାଁରେ ଆନ୍ଧ୍ର ମନ୍ତ୍ରୀଙ୍କ ଗୁଣ୍ଡାରାଜ ଓ ଶକ୍ତି ପ୍ରଦର୍ଶନ ପରେ, ଏବେ ଡେରା ପକାଇଛନ୍ତି, ଆନ୍ଧ୍ରପ୍ରଶାସନିକ ଅଧିକାରୀ ଓ ପୋଲିସ । ଆନ୍ଧ୍ରର ଦାଦାଗିରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସୀମା ବିବାଦ ଆହୁରି ଅଧିକ ବିବାଦୀୟ ହୋଇପଡିଛି । ଶାନ୍ତି ଫେରାଇ ଆଣିବା ଓ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି ଅଞ୍ଚଳବାସୀ । ସରକାର ଯଥା ଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ପଞ୍ଚାୟତ ଗଠନର ପାଖାପାଖି ୬୦ ବର୍ଷ ହେବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ପଞ୍ଚାୟତକୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିନାହିଁ । ବାଧ୍ୟ ହୋଇ ପଞ୍ଚାୟତବାସୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଯାହାର ଫାଇଦା ନେବାକୁ ଚେଷ୍ଟା କରୁଛି ଆନ୍ଧ୍ର ।

କୋଟିଆରୁ ଗଜପତି…ତେଜୁଛି ଆନ୍ଧ୍ର-ଓଡିଶା କଳି । ଆନ୍ଧ୍ର-ଓଡିଶା ସୀମା ବିବାଦ କମିବା ବଦଳରେ ବଢ଼ିବାରେ ଲାଗିଛି । କୋଟିଆକୁ ନେଇ ବାରମ୍ବାର ମୁହାଁମୁହିଁ ହେବା ପରେ ଏବେ ଗଜପତି ମାଣିକପାଟଣାକୁ ନେଇ ବିବାଦ ଜୋର ହୋଇଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ସିଦିରି ଆପାଲାରାଜୁ ଦାଦାଗିରି ଦେଖାଇବା ପରେ ଏବେ ସେହି ଅଞ୍ଚଳରେ ଡେରା ପକାଇଛନ୍ତି ଆନ୍ଧ୍ର ଅଧିକାରୀ ଓ ପୋଲିସ । ଆନ୍ଧ୍ରର ଏଭଳି ଦାଦାଗିରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

କେବଳ ମାଣିକ ପାଟଣା ନୁହେଁ ସେଠାକାର ୭ଟି ଗାଁକୁ ନିଜ ଅକ୍ତିଆରକୁ ନେବାକୁ ଅପଚେଷ୍ଟା ଚଳାଇଛି ଆନ୍ଧ୍ର । ପଞ୍ଚାୟତ ଗଠନର ୬୦ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ବାଧ୍ୟ ହୋଇ ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଯାହାର ଫାଇଦା ଉଠାଉଛି ଆନ୍ଧ୍ର । ଅନ୍ୟପଟେ ସୀମା ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ବିଜେପି । ସୀମା ବିବାଦର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାରେ ଥିବା ଖଣି ଖାଦାନ ଉପରେ ନଜର ପକାଇଛି ଆନ୍ଧ୍ରପ୍ରଦେଶ । ତେଣୁ ବାରମ୍ବାର ସେସବୁ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅପଚେଷ୍ଟା କରୁଥିବା କୁହାଯାଉଛି ।