କନକ ବ୍ୟୁରୋ : ସୀମାନ୍ତରେ ଦିନକୁ ଦିନ ଆନ୍ଧ୍ରର ଦାଦାଗିରି ବଢ଼ି ଚାଲିଛି । କେତେବେଳେ ରାସ୍ତାରେ ପଥର ଗଦା କରୁଛି ତ କେତେବେଳେ ସୀମାରେ ପତାକା ପୋତୁଛି ଏବେ ଗୁଗଲ ମ୍ୟାପକୁ ଅସ୍ତ୍ର କରି ଓଡିଶାର ପର୍ଯ୍ୟଟନ ସ୍ଥଳିକୁ ବି ନିଜର ବୋଲି ଦାବି କରୁଛି । ଗୁଗଲ ନକ୍ସା ଆଧାରରେ ପଟାଙ୍ଗୀର ଗାଲିଗାବତର ପର୍ଯ୍ୟଟନ ସ୍ଥଳୀ ଆନ୍ଧ୍ରର ବୋଲି ଦର୍ଶାଉଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଗଣ ଆନ୍ଦୋଳନ ଦାନା ବାନ୍ଧୁଛି । ସେପଟେ ଆଜି ଆନ୍ଧ୍ର-ଓଡିଶା ସୀମାର ବିବାଦୀୟ କ୍ଷେତ୍ରକୁ ନିକଟରୁ ନିରିକ୍ଷଣ କରିଛନ୍ତି ରାଜସ୍ୱ କମିସନର । ଆନ୍ଧ୍ରର ଦାଦାଗିରିକୁ ଦେଖିବା ପାଇଁ ଆଜି ସୀମାରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର । ଆରଡିସି ପି ଆପଙ୍ଗ ଆଓ ସ୍ଥିତି ଆକଳନ କରିବା ସହ ନକ୍ସା କିଭଳି ରହିଛି ତାକୁ ଦେଖିଛନ୍ତି ।

Advertisment

ସୀମା ବିବାଦରେ ସୀମା ଲଂଘୁଛି ଆନ୍ଧ୍ରପ୍ରଦେଶ । ଆପୋସ ଆଲୋଚନା ପରେ ବି ଥମୁନି ଦାଦାଗିରି । ଗୁଗଲ ମ୍ୟାପକୁ ନେଇ ପୁଣି ନୂଆ ଚାଲ୍ ଖେଳିଲା ପଡୋଶୀ । ଓଡିଶା ସୀମାରେ ଦାଦାଗିରି ଜାରି ରଖିଛି ଆନ୍ଧ୍ର । କୋରାପୁଟର କୋଟିଆକୁ ମାଡି ଆସୁଥିବା ଆନ୍ଧ୍ର ପର୍ଯ୍ୟାୟକ୍ରମେ ନାରାୟଣ ପାଟଣା, ପଟାଙ୍ଗୀ ବ୍ଲକ ସମ୍ବାଇର ସୁନବେଡ଼ା ଗାଁକୁ ନେଇ ସୀମା ବିବାଦ ଠିଆ କରିଥିଲା । ଆଉ ଏବେ ଗୁଗଲ ମ୍ୟାପକୁ ଆଧାର କରି ପଟାଙ୍ଗୀ ବ୍ଲକର ଗାଲିଗବତର ପର୍ଯ୍ୟଟନ ସ୍ଥଳିକୁ ନିଜର ବୋଲି ଦାବି କରୁଛି ପଡୋଶୀ । ଆପୋଷ ବୁଝାମଣାରେ ସୁନାବେଡା ସୀମା ବିବାଦ ତୁଟିଥିବା ବେଳେ ଗୁଗଲ ମ୍ୟାପ ଆଧାରରେ ସୀମା ନିର୍ଦ୍ଧାରଣ କରିବାକୁ ଯୁକ୍ତି ବାଢ଼ୁଛି ଆନ୍ଧ୍ର ।

ପଟାଙ୍ଗୀ ବ୍ଲକ ସୁନାବେଡ଼ା ଗାଁ ନିକଟରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଘଟଣାର ସମାଧାନ ପାଇଁ ଉଭୟ ରାଜ୍ୟର ପ୍ରଶସାନିକ ଅଧିକାରୀଙ୍କ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ସୀମା ନିର୍ଦ୍ଧାରଣ ହୋଇ ପାରିନାହିଁ । କାରଣ ଆନ୍ଧ୍ର ପ୍ରଶାସନ-ଗୁଗଲ ମ୍ୟାପକୁ ଢ଼ାଲ କରି ଓଡିଶା ଜମିକୁ ନିଜର ବୋଲି ଦାବି କରୁଛନ୍ତି । ଏପଟେ କୋରାପୁଟ ଜିଲ୍ଳା ପ୍ରଶାସନର ଏକ ସ୍ୱତନ୍ତ୍ର ରାଜସ୍ୱ ଟିମ୍ ୧୯୬୧ ମସିହାର ମ୍ୟାପ୍ ଆଧାରରେ ନିଜ ସୀମା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସଂପର୍କରେ କୋରାପୁଟ ଜିଲ୍ଳାପାଳ କହିଛନ୍ତି, ପ୍ରତ୍ୟେକ ରାଜ୍ୟର ସ୍ୱତନ୍ତ୍ର ମ୍ୟାପ ରହିଛି, ତାକୁ ଆଧାର କରି ସୀମା ନିର୍ଦ୍ଧାରଣ ହେବ ।

ଆନ୍ଧ୍ର ନିଜର ବୋଲି ଦାବି କରୁଥିବା ପଟାଙ୍ଗୀ ବ୍ଲକର ଗାଲିଗାବତର, ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ଭିତରୁ ଅନ୍ୟତମ । ଏହାର ଉନ୍ନତି ପାଇଁ ଓଡିଶା ସରକାର ଅନେକ ଅର୍ଥ ଖର୍ଚ୍ଚ କରିଛନ୍ତି । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ରାଜସ୍ୱ ପାଇଥାନ୍ତି ସରକାର ।