ପୁଣି ଆନ୍ଧ୍ରର ଦାଦାଗିରି । ସୀମାରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଓଡ଼ିଶା-ପଡ଼ିଶା ଅଧିକାରୀ ମୁହାଁମୁହିଁ ।

114

କନକ ବ୍ୟୁରୋ : ପୁଣି ଗଜପତି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି । ସୀମାନ୍ତରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ନେଇ ମୁଣ୍ଡ ଟେକିଛି ବିବାଦ । ରାୟଗଡ ବ୍ଲକ ଗଙ୍ଗବାଡ ପଂଚାୟତରେ ଥିବା ଅଙ୍ଗନୱାଡି କେନ୍ଦ୍ର କାହାର । ଓଡିଶାର ନା ପଡୋଶୀ ଆନ୍ଧ୍ରର । ଅଙ୍ଗନବାଡି କେନ୍ଦ୍ରଟି ଓଡିଶା ସୀମାରେ ଥିବା ନେଇ ଗଜପତି ଜିଲ୍ଲା ପ୍ରଶାସନ କହୁଥିବା ବେଳେ ଆନ୍ଧ୍ର ଅଧିକାରୀ କହୁଛନ୍ତି ଏହା ତାଙ୍କର ।

ଗଜପତି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି । ସୀମାନ୍ତରେ ଥିବା ଅଙ୍ଗନୱାଡି କେନ୍ଦ୍ର କାହାର ? ମାଣିକପାଟଣାରେ ଆନ୍ଧ୍ର-ଓଡିଶା ଅଧିକାରୀ ମୁହାଁମୁହିଁ । ଗଜପତି-ଆନ୍ଧ୍ର ସୀମାରେ ଥିବା ମାଣିକପାଟଣା ଗାଁର ଏକ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଅଙ୍ଗନୱାଡି କେନ୍ଦ୍ର ଥିବା ଅଞ୍ଚଳକୁ ନିଜର ବୋଲି ଦାବି କରୁଛନ୍ତି ଉଭୟ ଗଜପତି ପ୍ରଶାସନ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ।

୨୦୧୨ ମସିହାରୁ ମାଣିକପାଟଣା ଗାଁରେ ଏକ ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଚଲାଇ ଆସୁଥିଲା ଆନ୍ଧ୍ରପ୍ରଦେଶ । ଏହି ଖବର ପାଇ ସ୍ଥାନୀୟ ତହସିଲଦାର ଅଙ୍ଗନୱାଡି କେନ୍ଦ୍ରକୁ ସିଲ୍ କରିଦେଇଛନ୍ତି । ଏହାକୁ ନେଇ ବିବାଦ ତେଜିବା ସହ ମାଣିକପାଟଣା ଗାଁରେ ପୁଲିସ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି ।

ଗଜପତି ଜିଲ୍ଲାର ସୀମା ବିବାଦ ଗାଁ ଗୁଡିକ ମଧ୍ୟରୁ ମାଣିକପାଟଣା ଗାଁ ବିବାଦୀୟ ହୋଇ ରହିଆସିଛି । ତେବେ ଉଭୟ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ଆଲୋଚନା ପରେ ସୀମାର ମାପଚୁପ କରାଯିବାକୁ ନିଷ୍ପତି ହୋଇଛି । ସେପଟେ ଓଡିଶା ସୀମାରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନୀୟ ତହସିଲଦାର ସିଲ୍ କରିବା ସମୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗୁରୁନାଥ ଶବରଙ୍କୁ ଗିରଫ କରିଛି ଗାରାବନ୍ଧ ପୁଲିସ । ଗଜପତି ଜିଲ୍ଲାରେ ସୀମା ବିବାଦ କିଛି ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଜଳ, ଜମି ଜଙ୍ଗଲକୁ ନେଇ ଆନ୍ଧ୍ରାପ୍ରଦେଶ ସହ ବିବାଦ ଦେଖା ଯାଉଛି ।