କନକ ବ୍ୟୁରୋ : ପୁଣି ସୀମାନ୍ତରେ ତେଜିଲା ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଲା ଆନ୍ଧ୍ର । ସବୁ ବେଳେ ବିବାଦର ଦାନା ବୁଣୁଥିବା ପଡୋଶୀକୁ କଡ଼ା ଜବାବ ଦେବା ପାଇଁ ଏକଜୁଟ ହୋଇଛନ୍ତି ଓଡ଼ିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ଓଡ଼ିଆ ନେତା । ସୀମାନ୍ତରେ ରାଲି କରିବା ସହ ସାବଧାନ ରହିବାକୁ ଦେଲେ ଚେତାବନି । ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ସୀମା ବିବାଦର ପୁରା କାହାଣୀ ପହଚିଂବ ବୋଲି କହିଛନ୍ତି ନେତା ।
ସୀମାନ୍ତବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରୁନି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା । କାରଣ ସୀମାରେ ବାରମ୍ବାର ବିବାଦର ସୂତ୍ରପାତ କରୁଛି ପଡୋଶୀ ଆନ୍ଧ୍ର । ଏବେ ପୁଣି କୋରାପୁଟ ପଟାଙ୍ଗୀ ବ୍ଳକ ସମ୍ବାଇ ପଚାଂୟତରେ ଶାନ୍ତ ପରିବେଶକୁ ଭଙ୍ଗ କରୁଛି ଆନ୍ଧ୍ର । ପ୍ରଶାସନ ପୋତିଥିବା ପଥର ଚିହ୍ନକୁ ଭାଙ୍ଗି ଦେଉଛି ।
ସୁନାବେଡ଼ା ସୀମା ବିବାଦର ସମାଧାନ ପାଇଁ ଓଡିଶା-ଆନ୍ଧ୍ରର ସ୍ଥାନୀୟ ପଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାଡ଼୍ରାସ ପ୍ରେସିଡ଼େନସି ଅମଳର ପଥର ଚିହ୍ନକୁ ନେଇ ହୋଇଥିବା ଚୁକ୍ତି ଅନୁଶାରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଚାଲିଥିଲା । ଆଉ ଏତିକି ବେଳେ ଆନ୍ଧ୍ର ସୀମାନ୍ତ ବାସିନ୍ଦା ରାତି ଅଧିଆ ଓଏମ ପଥର ଚିହ୍ନକୁ ଭାଙ୍ଗି ଓଡ଼ିଶା ସୀମାରେ ପୋତି ଦେଇଛନ୍ତି । ଯାହାକୁ ନେଇ ଉଭୟ ସୀମାନ୍ତ ବାସୀଙ୍କ ମଧ୍ୟରେ ଟକ୍ରା ଟକରି ପରିସ୍ଥିତି ସୃଷ୍ଟି ହୋଇଛି ।
ଆନ୍ଧ୍ର-ଓଡିଶା ସୀମାରେ ପୁଣି ଉତେଜନା ସୃଷ୍ଟି ହୋଇଥିବା ଜାଣି ଘଟଣାସ୍ଥଳରେ ପହଚିଂ ଥିଲେ ଓଡିଶାର ରାଜନେତା । କୋରାପୁଟ ଜିଲ୍ଳା ବିଜେଡ଼ି ସଭାପତି, କୋରାପୁଟ ବିଧାୟକ, ପଟାଙ୍ଗୀ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ । ଘଟଣାର ଅନୁଧ୍ୟାନ କରିବା ସହ ସମସ୍ତ ତଥ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆନ୍ଧ୍ର ପ୍ରଦେଶ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ବିଜେଡ଼ି କୋରାପୁଟ ଜିଲ୍ଳା ସଭାପତି ଅଶ୍ୱର ପାଣିଗ୍ରାହୀ କହିଛନ୍ତି ।
ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୁଦନ ମିଶ୍ର କହିଛନ୍ତି ।ସୀମା ବିବାଦର ସମାଧାନ ପାଇଁ ଯେତିକି ସମୟ ଗଡ଼ୁଛି ସେତିକି ଉତେଜନା ବଢୁଛି । ତେଣୁ ସମୟ ଥାଉ ଥାଉ ଏହାର ସମାଧାନ ନହେଲେ ଆଗକୁ ସ୍ଥିତି ଅଣାୟତ ହୋଇପାରେ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି ।