ଓଡ଼ିଶା ଗାଁରେ ଲାଗିଲା ଜଗନମୋହନଙ୍କ ପୋଷ୍ଟର : କୋଟିଆ ଓ ଗଙ୍ଗାବାଡ ପରେ ଏବେ ଗଂଜାମର ଗୁଡିଖଳା ଉପରେ ଆନ୍ଧ୍ରର ଆଖି

ଘରେ ଘରେ ପୋଷ୍ଟର ମାରି ଚାଲିଛି ସରକାରୀ ଯୋଜନାର ପ୍ରଚାର

109

କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି । କୋରାପୁଟର କୋଟିଆ ଓ ଗଜପତିର ଗଙ୍ଗାବାଡ଼ ପରେ ଏବେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ଗୁଡ଼ିଖଳା ଗାଁ ଉପରେ ନଜର ପକାଉଛି ଆନ୍ଧ୍ର । ଗୁଡି଼ଖୋରା ସୀମାକୁ ନେଇ ଗଂଜାମ ଗଜପତି ପ୍ରଶାସନ ଭିତରେ ଟଣା ଓଟରା ଚାଲିଥିବା ବେଳେ ଆନ୍ଧ୍ର ଏହି ଗାଁ ତାର ବୋଲି ଦାବି କରିଛି । ନିଜ ଅକ୍ତିଆରକୁ ନେବା ପାଇଁ ସ୍ଥାନୀୟ ଆଦିବାସୀଙ୍କୁ ପ୍ରଲୋଭିତ କରୁଥିବା ନଜର ଆସିଛି । ଗୁଡ଼ିଖୋଳା ଗାଁର ପ୍ରତ୍ୟେକ ଘର କାନ୍ଥରେ ଆନ୍ଧ୍ର କଲ୍ୟାଣ କ୍ୟାଲେଣ୍ଡର ଛପେଇ ପ୍ରତି ପରିବାର ସଦସ୍ୟଙ୍କୁ ନିଜ ଆଡ଼କୁ କରିବାକୁ ଉଦ୍ୟମ ଚଳାଇଛି ।

କଲ୍ୟାଣ କ୍ୟାଲେଣ୍ଡରରେ ଆନ୍ଧ୍ର ସରକାରଙ୍କ ପ୍ରତ୍ୟେକ ଲାଭବାନ ଯୋଜନା ଏବଂ ଯୋଜନାର ୨୮ଟି ପଏଂଟକୁ ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ କେଉଁ ମାସରେ କେଉଁ ଯୋଜନାରେ ଟଙ୍କା ମିଳିବ ତାହା ମଧ୍ୟ ପୋଷ୍ଟରରେ ଲେଖାଯାଇଛି । ଏପରିକି ପୋଲିସ, ଆମ୍ବୁଲାନ୍ସ, ଫାୟାର ଷ୍ଟେସନ, ମେଡ଼ିକାଲ ସହ ମଦ୍ୟପାନ, କୃଷି ସାଧାରଣ ସମସ୍ୟା ପାଇଁ ମଧ୍ୟ ଟୋଲଫ୍ରିି ନମ୍ବର ଜାରି କରାଯାଇଛି । ଏଠାରେ ଓଡ଼ିଶା ସରକାରଙ୍କ ପାଦ ପଡ଼ୁନଥିବା ବେଳେ ଆନ୍ଧ୍ର ବାବୁମାନେ ବାରମ୍ବାର ଆସି ସବୁ ଯୋଜନା ଦେଉଥିବା ଗୁରୁତର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।