ଓଡ଼ିଶା ଗାଁରେ ମାମଲତି କରୁଛି ଆନ୍ଧ୍ର ପ୍ରଦେଶ ପ୍ରଶାସନ । ଚିତ୍ରକୋଣ୍ଡା ଜୁମଡାଙ୍ଗ ଗାଁରେ ପ୍ରଶାସନର ଅବହେଳାର ଫାଇଦା ଉଠାଉଛି ପଡୋଶୀ ରାଜ୍ୟ

264

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଓଡିଶା ସୀମାନ୍ତରେ ଥିବା ଜୁମଡାଙ୍ଗ ଗାଁକୁ ନିଜ ଅକ୍ତିଆର ରେ ନେଇ ସାରିଲାଣି ଆନ୍ଧ୍ରପ୍ରଦେଶ । ଓଡିଶା ସରକାରଙ୍କ ଏହି ଅଞ୍ଚଳରେ ଦୃଷ୍ଟି ପଡୁନଥିବା କିମ୍ବା କୌଣସି ସରକାରୀ ଅଫିସର ଏହି ଅଞ୍ଚଳ ପରିଦର୍ଶନ କରୁନଥିବାରୁ ଏହାର ଫାଇଦା ଉଠାଇ ଧୀରେ ଧୀରେ ଏହି ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି ଆନ୍ଧ୍ର ସରକାର ।

ଓଡିଶା ଗାଁରେ ଆନ୍ଧ୍ରର ମାମଲତି ।ଅବହେଳାର ଫାଇଦା ଉଠାଉଛି ପଡ଼ୋଶୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜୁମଡାଙ୍ଗ ଗାଁରେ ପହଂଚିବା ସହଜ ନଥିଲା । ୨ଟି ପାହାଡ ଚଢି ଘାଟି ରାସ୍ତା ପାର ହେବାକୁ ପଡିଥାଏ । ସରକାରୀ କାଗଜ କଲମରେ ଓଡିଶାରେ ଥିବା ଏହି ଗାଁରେ ରାଜ୍ କରୁଛି ଆନ୍ଧ୍ର ପ୍ରଦେଶ ସରକାର । ଜୁମଡଙ୍ଗ ଗାଁରେ ଓଡ଼ିଶା ସରକାରଙ୍କ ଯୋଜନାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନଥିଲା । ଜୁଆଡେ ଚାହିଁଲେ ଜଳଜଳ ହୋଇ ଦିଶୁଥିଲା ଆନ୍ଧ୍ରର ଯୋଜନା । ବିଦ୍ୟାଳୟ ବି ନିର୍ମାଣ କରିଛି ଆନ୍ଧ୍ର । ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ, ବହି ଖାତା ଯୋଗାଇ ତେଲଗୁ ଭାଷାରେ ଶିକ୍ଷାଦାନ କରୁଛି । କେବଳ ଶିକ୍ଷା ନୁହେଁ, ବିଜୁଳି ଓ ପାନୀୟ ଜଳ ସବୁ କିଛି ପଡ଼ୋଶୀ ରାଜ୍ୟର । ଯଦିଓ କିଛି ଯୋଜନା ଠିକ୍ ଭାବେ କାମ କରୁନାହିଁ । ତେବେ ଓଡିଶା ପ୍ରଶାସନର କଣଠେସା ହୋଇଥିବାରୁ ସୀମାନ୍ତବର୍ତୀ ଗ୍ରାମବାସୀ ଆନ୍ଧ୍ରର ଗୁଣଗାନ କରୁଛନ୍ତି ।

ଜୁମଡାଙ୍ଗ ଗାଁଟି ପୂର୍ବରୁ ରାଲେଗାଡ ପଂଚାୟତ ଅଧିନରେ ରହିଥିଲା । ୩ ବର୍ଷ ତଳେ ରାଜ୍ୟ ସରକାର ପଂଚାୟତ ସୀମା ପୁନଃନିର୍ଦ୍ଧାରଣ କରି ଏହାକୁ ଧୂଳିପୁଟ ପଂଚାୟତରେ ସାମିଲ କରିଛନ୍ତି । ୮ ବର୍ଷ ତଳେ ଜୁମଡାଙ୍ଗରେ ଏକ ଅଙ୍ଗନୱାଡି କେନ୍ଦ୍ର ଖୋଲିଥିଲା ମାଲକାନଗିରି ପ୍ରଶାସନ । ହେଲେ ନୂଆ ନିଯୁକ୍ତି ପାଇବା ପରେ ଅଙ୍ଗନୱାଡି କର୍ମୀ ଆନ୍ଧ୍ରକୁ ଚାଲିଯିବାରୁ ଏହି କେନ୍ଦ୍ରରେ ତାଲା ପଡିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଗାଁକୁ ଓଡ଼ିଶା ପକ୍ଷରୁ କୌଣସି ସରକାରୀ ସୁବିଧା ମିଳୁନାହିଁ ।