୯ରେ ନବୀନ-ଜଗନ ଭେଟାଭେଟି । ତୁଟିବ କି କୋଟିଆ ବିବାଦ ? ବୈଠକରେ ଉଠିପାରେ ପୋଲାଭରମ, ବଂଶଧାରା ଓ କୋଟିଆ ପ୍ରସଙ୍ଗ ।

160

କନକ ବ୍ୟୁରୋ: ସୀମା ବିବାଦକୁ ନେଇ ଆନ୍ଧ୍ର ଓଡିଶା ମୁହାଁମୁହିଁ ଭିତରେ ଓଡିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମଙ୍ଗଳବାର ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବା କାର୍ଯ୍ୟସୂଚୀ ରହିଛି । ଦୁଇ ନେତାଙ୍କ ମଧ୍ୟରେ ପୋଲାଭରମ ପ୍ରକଳ୍ପ, ବଂଶଧାରା ନଦୀରେ ବ୍ୟାରେଜ ନିର୍ମାଣ ବିବାଦକୁ ନେଇ ଆଲୋଚନା ହେବ । ତେବେ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜ ବିବାଦ ଉପରେ ଦୁଇ ନେତା କଥାର୍ତ୍ତା ହୋଇ ସମାଧାନ ବାଟ ବାହାର କରିବେ ବୋଲି ଆଶା କରାଯାଉଛି ।

୮ ବର୍ଷ ତଳେ ୱାଇଏସଆର କଂଗ୍ରେସ ସଭାପତି ଜଗନମୋହନ ରେଡ୍ଡୀ ଓଡିଶା ମୁଖମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି  ଆନ୍ଧ୍ର ବିଭାଜନ ସମ୍ପର୍କରେ ସହାୟତା ମାଗିଥିଲେ । ଇତି ମଧ୍ୟରେ ଆନ୍ଧ୍ର-ଓଡିଶା ଭିତରେ ଅନେକ ବିବାଦ ଜନ୍ମନେଇଛି । ବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ରହିଛି । ଓଡିଶାର ଯୁକ୍ତି ହେଉଛି, ଏହି ପ୍ରକଳ୍ପ ହେଲେ ଓଡିଶାରେ ଏହି ନଦୀରେ ପାଣି ଯଥେଷ୍ଟ ପରିମାଣରେ କମିଯିବ । ତେବେ ଇତିମଧ୍ୟରେ ଗତ ଜୁନ ମାସରେ ଏ ସମ୍ପର୍କରେ ଗଠିତ ଟ୍ରିବ୍ୟୁନାଲ ପ୍ରକଳ୍ପ କାମକୁ ଗ୍ରୀନ ସିଗନାଲ ଦେଇଛନ୍ତି ।

ସେପଟେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ବିବାଦ ରହିଛି ।  ଓଡିଶା ସରକାରଙ୍କ କହିବା କଥା ହେଉଛି, ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ସାବେରୀ ଓ ସିଲେରୁ ନଦୀରେ ପାଣିର ପଛୁଆ ଗତି ପାଇଁ ଅନେକ ଅଂଚଳ ଜଳମଗ୍ନ ହେବ । କିନ୍ତୁ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଆଗେଇନେବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି ।ତେବେ ବଂଶଧାରା ଓ ପୋଲାଭରମ ବିବାଦ ବର୍ତ୍ତମାନ ଯେତିକି ଚର୍ଚ୍ଚାରେ ନାହିଁ, ତାଠାରୁ ଅଧିକ ଚର୍ଚ୍ଚାରେ ରହିଛି କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ।  କୋଟିଆ ଅଂଚଳରେ ଆନ୍ଧ୍ର ଏକପାଖିଆ ପଞ୍ଚାୟତ ନିର୍ବାଚନ କରିବା ପରେ ଓଡିଶା ବି ପ୍ରତିକ୍ରିୟାଶୀଳ ହୋଇଉଠିଛି  ଏବଂ ଏବେ ପରିସ୍ଥିତି ଏକପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛି ।

ଏ ସବୁ ବିବାଦ ଭିତରେ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ଆଲୋଚନା ହେବ ।  ଆଶା କରାଯାଉଛି, ସବୁ ବିବାଦୀୟ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରି ସମାଧାନର ବାଟ ବାହାର କରିବେ ।