ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ ଜମାକାରୀ । ଦେବଗଡରୁ ଆରମ୍ଭ ହେବ ଗଣ ସତ୍ୟାଗ୍ରହ ।

146

କନକ ବ୍ୟୁରୋ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ ଜମାକାରୀ । ଆସନ୍ତା ୨୯ ତାରିଖରୁ ଦେବଗଡରୁ ଆରମ୍ଭ କରିବେ ଗଣ ସତ୍ୟାଗ୍ରହ । ଏହାସହିତ ରାଜ୍ୟର ପ୍ରତ୍ୟେକ ବ୍ଲକରେ ମଧ୍ୟ ଆନ୍ଦୋଳନ କରିବେ । ଦୁଇ ଦୁଇ ଜଣ କମିଶନର ନିଯୁକ୍ତି ସତ୍ୱେ ଜମାକାରୀ ତାଙ୍କ ଅର୍ଥ ନପାଇବା ଓ ସରକାର ମଧ୍ୟ ସେମାନଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ।

ଚିଟଫଣ୍ଡ କମ୍ପାନୀରୁ ଠକାମିର ଶିକାର ହେବା ପରେ ସରକାର ମଧ୍ୟ ସେମାନଙ୍କ ସହ ଚଞ୍ଚକତା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ୫୦ ଲକ୍ଷରୁ ଉଦ୍ଧ୍ୱର୍ ଜମାକାରୀଙ୍କ ଠାରୁ ସତ୍ୟପାଠ ଦାଖଲ ବାହାନାରେ ୧୦ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟି ଓ ଆଡେସିଭ୍ ଆଦାୟ କରିଛନ୍ତି ସରକାର । କିନ୍ତୁ ଦୀର୍ଘ ଦିନର ଆନ୍ଦୋଳନ ପରେ ମଧ୍ୟ ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି କରି ହିତାଧିକାରୀଙ୍କୁ ଟଙ୍କା ଫେରାଇବାରେ ଅସଫଳ ହୋଇଛନ୍ତି ସରକାର । ଏହାସହିତ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ମିଳିତ ମଂଚ ।