ମାସ୍କକୁ ନେଇ ମହାଡ୍ରାମା: ମାସ୍କ ଦୁର୍ନୀତି ଅଭିଯୋଗ ପରେ କୋଭିଡ୍ ସାମଗ୍ରୀ କିଣାରେ ନୂଆ ଅଭିଯୋଗ ଆଣିଲା କଂଗ୍ରେସ । ଦଳର ଅଭିଯୋଗ, କୋଟେସନ ବଦଳାଇ ଅଧିକ ଦାମରେ ବାଇପାପ ମେସିନ୍ କିଣିଛି ଔଷଧ ନିଗମ, ଖଣ୍ଡନ କଲା ବିଜେଡି ।

143

କନକ ବ୍ୟୁରୋ: ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ବିଜେଡି ସଫେଇ ରଖିବା ପରେ ନୂଆ ଅଭିଯୋଗ ଆଣିଛି କଂଗ୍ରେସ । ସେରୋ ମେଡିକାଲ ସଲ୍ୟୁସନ ନାମକ ଭୁବନେଶ୍ୱରର ଏକ ସଂସ୍ଥା ଠାରୁ କିପରି ଚଢ଼ା ଦରରେ ବାଇପାପ୍ ମେସିନ୍ କିଣାଯାଇଥିଲା, ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛି କଂଗ୍ରେସ ।

ମାସ୍କ ଦୁର୍ନୀତି ଅଭିଯୋଗରେ ସରକାରଙ୍କୁ ଘେରିଥିବା କଂଗ୍ରେସ ଯନ୍ତ୍ରାଂଶ କିଣାରେ ଘୋଟାଲା ନେଇ ପୁଣି ଥରେ ଘେରିଛି । ସୁଦର୍ଶନ ସାଂବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତ ବାଇପାସ୍ ନାମକ ଏକ ମେସିନ କିଣିବାକୁ  ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥା ମାର୍ଚ ୨୧ ତାରିଖରେ ୫୮ ହଜାର ଟଙ୍କାରେ କୋଟେସନ୍ ଦେଇଥିଲେ । ପରେ ସେହି ସମାନ ମେସିନ ପାଇଁ ୭୫ ହଜାର ଟଙ୍କାର କୋଟେସନ୍ ଦେଲା । ରାଜ୍ୟ ସରକାର ଏବେ ସେହି ୭୫ ହଜାର ଟଙ୍କାରେ ସେହି କମ୍ପାନୀ ଠାରୁ ସାମଗ୍ରୀ କିଣିଥିଲେ ।

ଏହାପରେ ସରକାର ଏହି ସପ୍ଲାୟର ସଂସ୍ଥାକୁ ୫ ଶହ ଟି ମେସିନ୍ କିଣିବାକୁ ଅର୍ଡର ଦେଇଥିଲେ । ସପ୍ଲାୟର ସଂସ୍ଥା ୩୨ଟି ମେସିନ୍ ଯୋଗାଇବା ପରେ ଆଉ ମେସିନ୍ ଦେଇପାରିବ ନାହିଁ ବୋଲି କହି ମନାକଲା । ସରକାର ଏଥିପାଇଁ ୩ କୋଟି ୭୫ ଲକ୍ଷ ଟଙ୍କାର ବଜେଟ୍ କରିଥିଲେ । ଏହାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁଦର୍ଶନ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସେରୋ ମେଡିକାଲ ସଲ୍ୟୁସନର ଦୁଇଟି କୋଟେସନ୍ ।

୨୧ ମାର୍ଚ୍ଚରେ ବାଇପାପ୍ ମେସିନ୍ ପାଇଁ ପ୍ରଥମେ ୫୮ ହଜାର ୮୦୦ ଟଙ୍କାର କୋଟେସନ୍ ଦେଇଥିଲା ସେରୋ ମେଡିକାଲ ସଲ୍ୟୁସନ୍

ଏହାର ଦୁଇ ଦିନ ପରେ ପୁରୁଣା କୋଟେସନ୍ ଠାରୁ ୧୬ ହଜାର ଟଙ୍କାରୁ ଅଧିକ ଟଙ୍କାରେ ସମାନ ମେସିନ ପାଇଁ ଆଉ ଏକ କୋଟେସନ୍ ଦେଇଥିଲା ସଂପୃକ୍ତ ସଂସ୍ଥା

ମାର୍ଚ୍ଚ ୨୩ ତାରିଖରେ ଦିଆଯାଇଥିବା କୋଟେସନ୍, ଏକା ବୈଶିଷ୍ଟ ଥିବା ବାଇପାପ୍ ମେସିନ୍ ପାଇଁ ୭୫ ହଜାର ଟଙ୍କା ଦାମ୍ କଷିଥିଲା ସେରୋ ମେଡିକାଲ ସଲ୍ୟୁସନ । କଂଗ୍ରେସର ଅଭିଯୋଗ, ବର୍ଦ୍ଧିତ ଦାମରେ ୫୦୦ ବାଇପାପ୍ ମେସିନ୍ କିଣିବା ପାଇଁ ୩ କୋଟି ୭୫ ହଜାର ଟଙ୍କାର ପରଚେଜ୍ ଅର୍ଡର ଦେଇଥିଲା ଓଡ଼ିଶା ଔଷଧ ନିଗମ ।

କଂଗ୍ରେସ ଅଭିଯୋଗ କରିଛି, ୩୨ଟି ମେସିନ୍ ଦେବା ପରେ ଆଉ ମେସିନ୍ ଯୋଗାଇ ପାରିବ ନାହିଁ ବୋଲି କହିଥିଲା ସଂପୃକ୍ତ କଂପାନୀ । କେବଳ ସେତିକି ନୁହେଁ ଦଳ ଅଭିଯୋଗ କରିଛି, କୋଭିଡ୍ ରାପିଡ୍ ଟେଷ୍ଟ ପାଇଁ ୧୨ କୋଟି ଟଙ୍କା ଏକ କଂପାନୀକୁ ଅଗ୍ରୀମ ଦେଇଥିଲା ରାଜ୍ୟ ଔଷଧ ନିଗମ । ରାପିଡ ଟେଷ୍ଟ ପାଇଁ ଆଇସିଏମଆର ମନା କରିବା ପରେ ଅଗ୍ରୀମ ଟଙ୍କା ଫେରାଇବାକୁ ରାଜି ହେଉନାହିଁ ସଂପୃକ୍ତ କଂପାନୀ । କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତିରେ ସାମଗ୍ରୀ କିଣାଯାଇଛି, କଂଗ୍ରେସର ଅଭିଯୋଗ ମିଛ ବୋଲି କହିଛି ଶାସକ ଦଳ ।