ସଙ୍କଟ ବେଳେ ସାହା ହେଲା ପ୍ରଶାସନ । ଟଙ୍କା ନଥିଲା ବୋଲି ୧୮ ଦିନର ଶିଶୁକୁ ଧରି ଫେରୁଥିଲେ ବାପା, ମା’, ନିଜ ଗାଡିରେ ଘରେ ଛାଡିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

215

କନକ ବ୍ୟୁରୋ : ମାଲକାନଗିରି ଚାଲିଚାଲି ଯାଉଥିବା ଅସହାୟ ପରିବାରକୁ ସାହାହେଲା ପ୍ରଶାସନ । କୋରାପୁଟ ମେଡିକାଲରୁ ନିଜର ୧୮ ଦିନର ଛୁଆକୁ ଧରି ମାଲକାନଗିରିର ସୁରେନ୍ଦ୍ର ମୁଦୁଲି ଓ ତାଙ୍କ ପତ୍ନୀ ପଦ୍ମା ମୁଦୁଲି କୋରାପୁଟଠାରୁ ୫୦୦ ଟଙ୍କା ଦେଇ ଏକ ଅଟୋରେ ଜୟପୁର ପହଞ୍ଚି ଥିଲେ । ତେବେ ଆଉ ଟଙ୍କା ନଥିବାରୁ ପରେ ଏକ ମାଲବାହୀ ଟ୍ରକରେ ବୈପାରୀଗୁଡା ପର୍ଯ୍ୟନ୍ତ ଆସିଥିଲେ । ଏବଂ ବୈପାରୀଗୁଡାରୁ ଚାଲିଚାଲି ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ବୈପାରୀଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ ଓ ବୈପାରୀଗୁଡା ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଅଧୀରଜ ସାହୁ ଉଭୟ ମା,ପୁଅର ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜଗାଡ଼ିରେ ତାଙ୍କ ଘରେ ଛାଡି ଆସିଥିଲେ । ଏହାସହ ବୈପାରୀଗୁଡା ଥାନା ସବ-ଇନ୍ସପେକ୍ଟର ଅସିତ ବଳବନ୍ତରାୟ ଓ ଆଇନଜୀବୀ ପି ରମେଶ ପତ୍ର ତାଙ୍କୁ ଆର୍ଥିକ ସହାୟତା କରିବା ସହ ତାଙ୍କ ପାଇଁ ଖାଇବାପିଇବା ବନ୍ଦୋବସ୍ତ କରିଥିଲେ । ତାଲାବନ୍ଦ ଭିତରେ ନିଜ ଘରକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଅସହାୟ ପରିବାରକୁ ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ସହାୟତା ମିଳିବା ଯୋଗୁୁଁ ଏମାନେ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିଛନ୍ତି ।