ଟେଷ୍ଟ ବଢ଼ିବା ପରେ ଦୈନିକ ସଂକ୍ରମଣରେ ବୃଦ୍ଧି । ଦୁଇ ଦିନ ହେଲା ରାଜ୍ୟରେ ୫ ପ୍ରତିଶତ ଉପରେ ରହିଛି ଟେଷ୍ଟ ପଜିଟିଭିଟି ରେଟ୍ । 

231

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦୈନିକ ସଂକ୍ରମଣ ହାର ସାମାନ୍ୟ ବଢିଛି । ଦୁଇ ଦିନ ହେଲା ପୁଣି ୫ ପ୍ରତିଶତକୁ ଟପିଛି ସଂକ୍ରମଣ ହାର । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ ହୋଇଥିବାରୁ ସେଠି ସଂଖ୍ୟା ଅଧିକ ଅଛି । ସେପଟେ ଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି ।

ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଦୁଇ ଦିନ ହେଲା ୫ ପ୍ରତିଶତ ଉପରେ ସଂକ୍ରମଣ ହାର ।

ତାରିଖ   ଆକ୍ରାନ୍ତ ସଂକ୍ରମଣ ହାର

ଜୁନ ୨୧              ୩୦୩୧            ୪.୯୭

ଜୁନ ୨୨               ୨୯୫୭            ୪.୭୯

ଜୁନ ୨୩             ୩୪୫୬                  ୫.୨୪

ଜୁନ ୨୪              ୩୬୫୦            ୫.୨୦ 

କିଛି ଦିନର ଆଶ୍ୱସ୍ତି ପରେ ଏବେ ସଂକ୍ରମଣ ସାମାନ୍ୟ ବଢିଛି । ଆଉ ଟେଷ୍ଟ ପଜିଟିଭିଟି ରେଟ୍ ପୁଣି ଥରେ ୫ ପ୍ରତିଶତ ଉପରକୁ ଉଠିଛି । ଜୁନ ୨୧ ଓ ୨୨ ତାରିଖରେ ୫ ପ୍ରତିଶତ ତଳେ ରହିଥିଲା ସଂକ୍ରମଣ ହାର । ହେଲେ ଜୁନ ୨୩ରେ ୫.୨୪ ଓ ୨୪ ତାରିଖରେ ସଂକ୍ରମଣ ହାର ୫.୨ ପ୍ରତିଶତ ରହିଛି ।

ଏପଟେ ଗତ ୨୪ ଘଂଟାରେ ରାଜ୍ୟର ୩ ହଜାର ୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୮୫, ଯାଜପୁରରୁ ୩୩୨ ନୂଆ ପଜିଟିଭ୍ ମାମଲା ଆସିଛି । ଖୋର୍ଦ୍ଧା, କଟକ ଓ ଯାଜପୁର ଓ ବାଲେଶ୍ୱର ଏବେ ବି ରେଡ୍ ଜୋନରେ ରହିଛି । ସେପଟେ ମୃତ୍ୟୁ ସଂଖାରେ ବ୍ରେକ ଲାଗୁନି ରାଜ୍ୟରେ । ଗୋଟିଏ ଦିନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି ।

ସଂକ୍ରମଣ ସାମାନ୍ୟ ବଢ଼ିଛି, ହେଲେ ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ମୟୂରଭଂଜରେ କେସ ଲୋଡ଼ ଅଧିକ ରହିଛି । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ପ୍ରଥମେ ଆରମ୍ଭ ହୋଇଥିବା କାରଣରୁ ସେଠି ଏବେ ସଂକ୍ରମଣ କମିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ ହୋଇଥିଲା ସେଥିପାଇଁ ଏବେ ସେଠି ସଂଖ୍ୟା ଅଧିକ ଅଛି । ସେପଟେ ଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଂଟାରେ ୫୪, ୦୬୯ ପଜିଟିଭ ଚିହ୍ନଟ ହୋଇଛି । ସେହପରି ୧୩୨୧ ଜଣଙ୍କ ଜୀବନ ନେଇଛି କରୋନା ।