ନିଅଣ୍ଟିଆ ବର୍ଷା ପାଇଁ ସରକାରଙ୍କ ନୂଆ ରଣନୀତି : କୃଷି ଶ୍ରମିକଙ୍କୁ ମନରେଗାରେ ମିଳିବ କାମ

୧୫ ଜିଲ୍ଲାର ୩୦ଟି ବ୍ଲକରେ ହୋଇଛି ସ୍ୱାଭାବିକ ଠାରୁ କମ୍ ବର୍ଷା; ଯେଉଁଠି କମ୍ ବର୍ଷା ହୋଇଛି ସେଠାରେ ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବ

607

କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ପାଇଁ ରାଜ୍ୟ ସରକାରଙ୍କ ନୂଆ ରଣନୀତି । କମ୍ ବର୍ଷ ହୋଇଥିବା ଅଂଚଳରେ ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବ । ପ୍ରତି ପାଣି ପଂଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ କରାଯିବ । ଏହା ସହ ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କୃଷକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର. ରାୟଗଡା, ଗଞ୍ଜାମ, ଗଜପତି, ବଲାଙ୍ଗିର, ବୈଦ୍ଧ, ସମ୍ବଲପୁର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା ଆଦି ଜିଲ୍ଲାର ୩୦ ବ୍ଲକରେ କମ୍ ବର୍ଷା ହୋଇଛି । ବର୍ତ୍ତମାନ କମ୍ ବର୍ଷା ହେଉଛି, ଆଗାମୀ ୧୦ ଦିନରେ କମ୍ ବର୍ଷା ହେଲେ କ’ଣ କରାଯିବ ସେନେଇ ମୁଖ୍ୟ ଶାସନ ସଚିବ, ଏପିସି ଓ ଉନ୍ନୟନ କମିଶନଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ତିନିଟି ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ଜଳସେଚନ ପ୍ରକଳ୍ପକୁ କିପରି ଭଲ ଭାବେ ଉପଯୋଗ କରାଯିବ । ଉଠା ଜଳସେଚନ ପ୍ରକଳ୍ପକୁ ରିଭାଇବ ପାଇଁ ପାଣି ପଂଚାୟତ ସ୍ତରରେ ଆଲୋଚନା କରାଯିବ । ଏହା ସହ ଆବଶ୍ୟକ ସ୍ଥଳେ କୃଷି ଶ୍ରମିକଙ୍କୁ ମନରେଗା କିମ୍ବା ଅନ୍ୟ ସ୍କିମରେ କିପରି କାମ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରାଯାଇଛି । ବର୍ତ୍ତମାନ ମରୁଡି ସ୍ଥିତି ନାହିଁ ବୋଲି କୃଷି ସଚିବ ଏସ୍ . କେ ବଶିଷ୍ଟ ସୂଚନା ଦେଇଛନ୍ତି ।

ସେପଟେ ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଂଚଳକୁ ଯିବ ବିଜେପି ପ୍ରତିନିଧି ଦଳ । ଏଥିପାଇଁ ୪ଟି କମିଟି ଗଠନ କରାଯାଇଛି । ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ୪ଟି କମିଟି ଗଠନ କରାଯାଇଛି । ରାଜ୍ୟ ସରକାର ଟାସ୍କ ଫୋର୍ସ କରିବାକୁ ଦାବି କରିଛି ଦଳ । ତୁରନ୍ତ ଚାଷୀଙ୍କୁ ଯୋଗାଇ ଦେବା ସହ ସଚିବମାନଙ୍କୁ ପଠାଇ ତୁରନ୍ତ ସମୀକ୍ଷା କରି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେପି ।