ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି : ଏଣିକି ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଦେଖିପାରିବେ ନାହିଁ ଅଣ ସ୍ୱାସ୍ଥ୍ୟ କର୍ମଚାରୀ

ସୁରକ୍ଷାକର୍ମୀ ରୋଗୀସେବା କରିବା ନେଇ ହୋଇଥିଲା ଅଭିଯୋଗ

473

କନକ ବ୍ୟୁରୋ : ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ କେବଳ ସ୍ୱାସ୍ଥ୍ୟକର୍ମୀ ହିଁ ଦେଖିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କଡାକଡି ଭାବେ ଉଲ୍ଲେଖ କରାଯାଇଛି ଯେ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ୍ ଦେଇ ଅନ୍ୟ କେହି ରୋଗୀଙ୍କୁ ଦେଖିପାରିବେ ନାହିଁ ।

ଗଂଜାମ ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ହାତରେ ସ୍ୱାସ୍ଥ୍ୟସେବା ନେଇ ଖବର ପ୍ରସାରଣ ହୋଇଥିଲେ । ଏହି ଘଟଣା ପରେ ସ୍ପଷ୍ଟିକରଣ ରଖିଥିଲା ଗଂଜାମ ଜିଲ୍ଲା ପ୍ରଶାସନ । ଡାକ୍ତରଖାନାରେ ୧୩ଜଣ ଡାକ୍ତର ଅଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଜଣକ କେବଳ ବ୍ଲଡପ୍ରେସର ମ୍ୟାସିନର କଫ ବାନ୍ଧିବରେ ସାହାଯ୍ୟ କରୁଥିଲେ ବୋଲି ଗଂଜାମ ଜିଲ୍ଲାପାଳ ନିଜ ଅଫିସିଆଲ ଟ୍ୱିଟର ଆକାଉଂଟରୁ ଟ୍ୱିଟ କରି ଲେଖିଥିଲେ । ଡ଼ାକ୍ତର କି ନର୍ସ କେହି ନଥିବା ବେଳେ ସିକ୍ୟୁରିଟି ଗାର୍ଡ଼ ଏକ ବିପି ମେସିନ ଆଣି ରୋଗୀଙ୍କ ରକ୍ତଚାପ ଚେକ କରୁଥିବା ଫଟୋ ସାମ୍ନାକୁ ଆସିଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ମେଡ଼ିକାଲରେ ରୋଗୀ ସେବେ ନେଇ ପ୍ରଶ୍ନ ଉଠିଥିଲା ।

ତେବେ ଗଂଜାମ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖି ସିକ୍ୟୁରିଟିଗାର୍ଡ ଜଣକ କେବଳ ବ୍ଲଡପ୍ରେସର ମ୍ୟାସିନର କଫ ବାନ୍ଧିବାରେ ସାହାଯ୍ୟ କରିଥିଲେ ବୋଲି କୁହାଯାଇଛି । ଏହାପରେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ବାଦ୍ ଅନ୍ୟ କେହି ରୋଗୀ ସେବା କରିପାରିବେ ନାହିଁ ।