ସିନେମା ହଲରେ ଆମ ‘ଛପାକ୍’: ଫିଲ୍ମ ଦେଖିଲେ, ନିଜ କାହାଣୀ ମନେ ପକାଇଲେ ଓଡିଶାର ଏସିଡ୍ ପୀଡିତା

303

କନକ ବ୍ୟୁରୋ: ‘ଛପାକ’ ଦେଖିଲେ ଓଡିଶାର ‘ଛପାକ’ । ଏସିଡ୍ ପୀଡ଼ିତାଙ୍କ ସଂଘର୍ଷ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଛପାକ୍ ଫିଲ୍ମୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଆଉ ଏହାରି ଭିତରେ ପୀଡିତାଟିଏ କେମିତି ସାରା ଜୀବନ ସଂଘର୍ଷ କରି ବଞ୍ଚେ ? ଆଉ ତା ସେ ସଂଘର୍ଷରେ କିଏ ସାଜେ ସାଥୀ ? ଏସିଡି ପୀଡିତାଙ୍କ ଜୀବନର ନିଚ୍ଛକ ସତକୁ ନେଇ ନିର୍ମାଣ ହୋଇଥିବା ଛପାକ ସିନେମାକୁ ଦେଖିବାକୁ କଟକ ହଲକୁ ଆସିଥିଲେ ଓଡ଼ିଶାର ଦୁଇ ଜଣ ଏସିଡ୍ ପୀଡ଼ିତା ।

ଜୀବନ ସହ ସାମଞ୍ଜସ୍ୟ ରଖୁଥିବା ଘଟଣାକୁ ନେଇ ଯେତେବେଳେ ଫିଲ୍ମ ପ୍ରସ୍ତୁତ ହୁଏ, ସ୍ୱାଭାବିକ ଭାବରେ ସେଭଳି ଏକ ସିନେମା ଦେଖିବାକୁ ଆଗ୍ରହ ଆସିଥାଏ । ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’, ଯାହା ଏସିଡ୍ ପୀଡ଼ିତାଙ୍କ ଜୀବନ ସଂଘର୍ଷକୁ ନେଇ ତିଆରି ହୋଇଛି, ସେହି ଫିଲ୍ମ ଦେଖିବାକୁ କଟକର ସଙ୍ଗମ ସିନେମା ହଲରେ ପହଂଚିଥିଲେ ଓଡ଼ିଶାର ଛପାକ୍ ।

ମାତ୍ର ୧୬ ବର୍ଷ ବୟସରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଜଗତସିଂପୁରର ପ୍ରମୋଦିନୀ ରାଉଳ, ତାଙ୍କ ଭାବୀ ସ୍ୱାମୀଙ୍କୁ ସାଥିରେ ନେଇ ଛପାକ୍ ଫିଲ୍ମ ଦେଖିବାକୁ ଆସିଥିଲେ । ଯେଉଁଠି ସେ, କହିଛନ୍ତି- ସମାଜରେ ଭଲ ପୁଅର ଅଭାବ ନାହିଁ । ଯେଉଁମାନେ ଚେହେରା ନୁହେଁ ମନକୁ ଦେଖନ୍ତି ।

ପ୍ରମୋଦନୀ ଏବଂ ସରୋଜଙ୍କ ଭଳି ଛପାକ୍ ଫିଲ୍ମ ଦେଖିବାକୁ ଆସିଥିଲେ ଯାଜପୁରର ସୁଚିସ୍ମୀତା ରାଉତ । ଯିଏ ପାରିବାରିକ କଳହରୁ ପ୍ରତିଶୋଧର ଶିକାର ପାଲଟି ଯାଇଥିଲେ । ସୁଚିସ୍ମୀତାଙ୍କ ଦେହରେ ତରଳ ନିଆଁ ଢାଳିଦେଇଥିଲା ଗାଁର ଜଣେ ସଂପର୍କୀୟ ଦାଦା । ତେବେ ସୁଚିସ୍ମୀତାଙ୍କ ହାତ ଧରିଛନ୍ତି ଦୟାନିଧି ବାରିକ ।

ଯେଉଁଠି ଭଲ ପାଇବା ଥାଏ, ସେଠି ଗୌଣ ହୋଇଯାଏ ଚେହେରା, ନ୍ୟୁନ ହୋଇଯାଏ ସୌନ୍ଦର୍ଯ୍ୟ । ସେଠି କେବଳ ଦେଖାଯାଏ ସ୍ନେହ ଓ ଭଲପାଇବା । ଦେଖାଯାଏ କେବଳ ମନ ଓ ଭଲ ମଣିଷ । ପ୍ରମୋଦିନୀ ଓ ସୁଚିସ୍ମୀତା ତାଙ୍କ ଜୀବନ ସାଥୀଙ୍କ ସଂସ୍ପର୍ଶରେ ଆସିବା ପରେ ସେହି ଗୁଣଟି ହିଁ ଦେଖିପାରିଛନ୍ତି ।