କନକ ବ୍ୟୁରୋ : ରାଜ୍ୟରେ ଡେଲଟା ଭୂତାଣୁକୁ ବହୁ ପଛରେ ପକାଇ ଦେଇଛି ଓମିକ୍ରନ । ଗତ ସପ୍ତାହରେ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ ବା ଜୀବ ବିଜ୍ଞାନ ପ୍ରତିଷ୍ଠାନ ଯେଉଁ ନମୂନାଗୁଡିକର ଜିନୋମ ସିକ୍ୱେନସିଂ କରିଥିଲା, ସେଥିରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଜାନୁଆରୀ ୨୮ରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ ୨୪୧ ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିରେ ୨୩୫ ନମୁନାରେ ଓମିକ୍ରନ ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି ।

Advertisment

ମାତ୍ର ୬ଟିରେ ଡେଲଟା ଭୂତାଣୁ ଚିହ୍ନଟ ହୋଇଛି । ଯେଉଁ ୨୩୫ ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି, ସେଥିରେ ୨୧୭ଟିରେ ବିଏ. ଟୁ ସବ୍ ଭ୍ୟାରିଆଂଟ ରହିଥିବା ବେଳେ ବିଏ. ୱାନ. ୱାନ୍ ୧୨ଟି ଚିହ୍ନଟ ହୋଇଛି । ଆଉ ବିଏ. ୱାନ ରହିଛି ମାତ୍ର ୬ଟି ନମୁନାରେ । ଖୋର୍ଦ୍ଧାରେ ୪ ଟି ନମୁନାରେ ଡେଲଟା ଭୂତାଣୁ ଥିବା ବେଳେ ୪୫ ନମୁନାରେ ଓମିକ୍ରନ ରହିଥିବା ଜଣାପଡିଛି । ଗଂଜାମରୁ ସଂଗ୍ରହ କରାଯାଇଥିବା ୪୭ଟି ନମୁନାରେ ରହିଛି ଓମିକ୍ରନ । ସେହିପରି କଟକରୁ ଆସିଥିବା ସମସ୍ତ ୩୦ଟି ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି ।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ ଦ୍ରୁତ ସଂକ୍ରମଣ କରିବାରେ ସକ୍ଷମ । ବିଶ୍ବର ୫୦ରୁ ଅଧିକ ଦେଶରେ ଏହି ଉପ-ପ୍ରଜାତିକୁ ଚିହ୍ନଟ କରାଯାଇ ସାରିଲାଣି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ଏହାକୁ ଚିନ୍ତାଚନକ ଭାରିଏଣ୍ଟ ବୋଲି ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ । ତେଣୁ ବିଏ.୨ରେ ଅଧିକ ମୃତ୍ୟୁ ହେଉଛି କି ନାହିଁ ତାହାର ଅଧିକ ତର୍ଜମାର ଆବଶ୍ୟକତା ରହିଛି । ଓଡ଼ିଶାରେ ଏବେ ବି ଡେଲ୍‌ଟା ପ୍ରଜାତି ରହିଛି । ‌ମାତ୍ର ଯେଉଁସବୁ ମୃତ୍ୟୁ ହୋଇଛି ସେସବୁର ଜିନୋମ ସିକ୍ବେନ୍ସିଂ କରାଗଲେ ସଂପୃକ୍ତ ବ୍ୟକ୍ତି ଜଣକ ଡେଲ୍‌ଟା, ଓମିକ୍ରନ୍ କିମ୍ବା ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା.ମହାପାତ୍ର କହିଛନ୍ତି ।