ରାଜ୍ୟରେ ଶିକ୍ଷକଙ୍କ ଟିକାକରଣ ଉପରେ ଗୁରୁତ୍ୱ : ପାଖାପାଖି ୯୦ % ଶିକ୍ଷକ ନେଲେଣି କରୋନା ଟିକା

46

କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷକଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିଛି । ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରୁଛି । ତା’ପରେ ବି କରୋନା ଭୟ ଲାଗିରହିଛି । ସଂକ୍ରମଣ ବଢ଼ିବା ଆଶଙ୍କା‌ରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କ୍ଲାସରୁମ୍‌ ପାଠପଢ଼ା ଦିନ ଗଡ଼ିଚାଲିଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଯେତେଶୀଘ୍ର ସମ୍ଭବ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ କରିବାକୁ କୁହାଯାଇଛି । ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ଗ୍ରହଣ କରି ସାରିଛନ୍ତି ସେମାନଙ୍କୁ ଅକ୍ଟୋବର ୩୧ ସୁଦ୍ଧା ଦ୍ବିତୀୟ ଡୋଜ୍‌ ଟିକାକରଣ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ସେପ୍ଟେମ୍ବର ମାସଠାରୁ ଆରମ୍ଭ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଟିକାକରଣ ଅଭିଯାନରେ ବଡ଼ ସଫଳତା ମିଳିଛି । ଦୁଇ ମାସ ମଧ୍ୟରେ ପାଖାପାଖି ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ହୋଇଛି । ଏହା ପୂର୍ବରୁ ବି କିଛି ଶିକ୍ଷକ କୋଭିଡ୍‌-୧୯ ଟିକା ନେଇସାରିଛନ୍ତି । ଖୋର୍ଦ୍ଧା, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ବର ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣରେ ବହୁ ପରିମାଣରେ ସଫଳତା ମିଳିଛି। ତେବେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ସାମାନ୍ୟ ପଛରେ ପଡ଼ିଛି। ତା’ ସତ୍ତ୍ବେ ବି ରାଜ୍ୟର ୯୦% ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ୍‌-୧୯ ଟିକା ନେଇସାରିଥିବା ବୈଠକରୁ ସୂଚନା ମିଳିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଟିକାକରଣ କ୍ଷେତ୍ରରେ ଘରୋଇ ବିଦ୍ୟାଳୟଗୁଡ଼ିକ ଆଗରେ ରହିଛନ୍ତି । ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ପରି ସହରରେ ଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ସରିଛି । ୫ ହଜାରରୁ ଅଧିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ମୋଟ ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ଦୁଇ ହଜାର ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା । ପ୍ରଥମ ଡୋଜ୍‌ ଟିକା ନେଇସାରିଥିବା ୯୦% ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦% ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି । ଯେତେଶୀଘ୍ର ସମ୍ଭବ ବାକି ରହିଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲା ଶିକ୍ଷା‌ ଅଧିକାରୀମାନଙ୍କୁ କୁହାଯାଇଛି ।