କନକ ବ୍ୟୁରୋ : ରାଜଧାନୀରେ ମେଟ୍ରୋ ପାଇଁ ସମୀକ୍ଷା । ମେଟ୍ରୋ ଟ୍ରେନ ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ। ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ଖବର ଜଣାପଡିବା ପରେ ଓଡ଼ିଶାବାସୀ ଏହାକୁ ସ୍ବାଗତ କରିଛନ୍ତି । ମେଟ୍ରୋ ଟ୍ରେନ ଚାଲିଲେ ବହୁ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି । ଏଥି ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ବିବେଚନା କରାଯାଉଛି । ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ‌ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଲୋଚନାରୁ ଆଶା ପ୍ରକାଶ ପାଇଛି ।

Advertisment

ଏ ନେଇ ଅନୁଷ୍ଠିତ ଆଲୋଚନାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥ୍ୟୁ ଭାଥନନ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ । କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସମସ୍ତ ଦିଗକୁ ନଜରରେ ରଖି କାମ ଆରମ୍ଭ ହେବ ବୋଲି କୁହାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ପକାଇବାକୁ ଯୋଜନା ରହିଛି ।