କେମିତି ଚାଲିଛି ଖାତା ଦେଖା? ଗୋଟିଏ ହାତରେ ବିଂଚଣା, ଆଉ ଗୋଟିଏ ହାତରେ କଲମ । ଅସହ୍ୟ ଗରମରେ ଖାତା ଦେଖୁଛନ୍ତି ଅଧ୍ୟାପକ-ଅଧ୍ୟାପିକା

161

କନକ ବ୍ୟୁରୋ: ମୁହଁରେ ଝାଳ, ଗୋଟିଏ ହାତରେ ବିଂଚଣା ଓ ଆଉ ଗୋଟିଏ ହାତରେ କଲମ  । ଆଉ କିଏ ଉପରକୁ ଅନାଇ କହୁଛି ଓଃ କି ଗରମ  । ଏ ଚିତ୍ର ହେଉଛି ବିଜେବି କଲେଜର, ଯେଉଁଠାରେ ଚାଲିଛି ଯୁକ୍ତ ଦୁଇ ଅଫଲାଇନ ଖାତା ଦେଖା ।  ପିଇବା ପାଇଁ ପାଣି ନାହିଁ କି ମୁଣ୍ଡ ଉପରେ ଚାଲୁ ନାହିଁ ଫ୍ୟାନ । ଝାଳରେ ବୁଡି ଯାଉଛି ଉତର ଖାତା । ଅଧ୍ୟାପକ ଅଧ୍ୟାପିକାମାନେ ଅସହ୍ୟ ଗରମରେ ଦେଖୁଛନ୍ତି ଯୁକ୍ତ ଦୁଇ ଖାତା । ବାତ୍ୟା ଫୋନୀ ପ୍ରଭାବରେ ରାଜଧାନୀରେ ସବୁଆଡେ ଆସିପାରିନି ବିଦ୍ୟୁତ । ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲେବି ଏଯାଏଁ ବିଜେବି କଲେଜକୁ ଦିଆଯାଇପାରିନି ସଂଯୋଗ । କେବଳ ପ୍ରଶାସନ ନୁହେଁ କଲେଜ କର୍ତୁପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି ଖାତା ଦେଖୁଥିବା ଅଧ୍ୟାପକ ଅଧ୍ୟାପିକା ।

ସମଗ୍ର ଓଡିଶାରେ ତିନି ଲକ୍ଷରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଖାତା ୫୮ ମାନୁଆଲ ଓ ୩୬ଟି ଇମୁଲ୍ୟାୟନ କେନ୍ଦ୍ରରେ ଖାତା ଦେଖୁଛନ୍ତି ୧୬ହଜାର ଅଧ୍ୟାପକ ଅଧ୍ୟାପିକା  ।  କିନ୍ତୁ ରାଜଧାନୀରେ ମାନ୍ରୁଆଲ ସେଂଟର ଗୁଡିକର ଯେଉଁ ଅବସ୍ଥା ସମଅବସ୍ଥା ରହିଛି ଇ ମୂଲ୍ୟାୟନ କେନ୍ଦ୍ରରେ  । ବିଦ୍ୟୁତ ନାହିଁ କି ଇଂଟରନେଟ ସଂଯୋଗ ନାହିଁ, କେମିତି ଖାତା ଦେଖା ହେବ ବୋଲି ପ୍ରଶ୍ନ କରୁଛନ୍ତି ଖାତା ମୂଲ୍ୟାୟନକାରୀ ଅଧ୍ୟାପକ  । ଆବଶ୍ୟକୀୟ ସୁବିଧା ନଥିବାରୁ ଖାତା ନଦେଖି ଘରକୁ ଫେରିଯାଉଛନ୍ତି ଅଧ୍ୟାପକ ।

ଏହାରି ଭିତରେ ଅଧ୍ୟାପକ ମାନଙ୍କୁ ଛାଟ ମାରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  । ଖାତା ଦେଖିବାକୁ ଅସୁନଥିବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିଷ୍ପତି ନେଇଛି ପରିଷଦ  । ଅନ୍ୟପଟେ ଦ୍ୱୀତିୟ ପର୍ଯ୍ୟାୟ ଖାତା ଦେଖା ଏଯାଏଁ ସରି ନଥିବାରୁ ଜୁନ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି  ।