ଯୁକ୍ତ ୨ ନାମଲେଖା : ଆଜି ପ୍ରକାଶ ପାଇବ ମେଧା ତାଲିକା

58

କନକ ବ୍ୟୁରୋ : ଯୁକ୍ତ ୨ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇବ । ପୂର୍ବାହ୍ନ ସାଢ଼େ ୧୧ଟା‌ରେ ତାଲିକା ପ୍ରକାଶ ସହ ବିଭିନ୍ନ କଲେଜ କଟ୍‌ ଅଫ୍‌ ମାର୍କ ମଧ୍ୟ ଉପଲବ୍ଧ ହେବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୧୪ରୁ ୨୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‌ ଲେଟର୍‌ରେ ସବିଶେଷ ତଥ୍ୟ ରହିବ। ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍‌ ଲେଟର୍‌ରେ ଉଲ୍ଲେଖ କରାଯିବ। ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି । ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ । ପୂର୍ବାହ୍ନ ୯ଟାରୁ ଅପରାହ୍‌ଣ ଗୋଟାଏ ଓ ଅପରାହ୍‌ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ ।