ଅଗ୍ନିପରୀକ୍ଷାରେ ପାସ୍ ହେବେ କି ଫେଲ୍ । ବଡ଼ ନେତାଙ୍କ ଛାତି ଧଡ଼ଧଡ, କାହା ଉପରେ ଭରସା ଦେଖାଇଲେ ଭୋଟର !

295

କନକ ବ୍ୟୁରୋ : ବିଜୟର ଟିକା ପିନ୍ଧିବାକୁ ବଡ଼ ବଡ଼ ନେତା କସରତ କରିଥିବା ବେଳେ ବ୍ରହ୍ମପୁର ସମେତ ୪ ଲୋକସଭାରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ପ୍ରଦୀପ ପାଣିଗ୍ରାହୀ ଓ ଭୃଗୁ ବକ୍ସିପାତ୍ରଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିବା ବେଳେ ନବରଙ୍ଗପୁରରେ ତିନି ମାଝୀଙ୍କ ମଧ୍ୟରେ ଟକ୍କର ହୋଇଛି । କୋରାପୁଟରେ ସପ୍ତଗିରି ଉଲାକା ଓ କୌଶଲ୍ୟା ହିକକା ଏବଂ କଳାହାଣ୍ଡି ଲୋକସଭା ପାଇଁ ଲମ୍ବୋଦର ନିଆଲ ଓ ମାଳବିକା କେଶରୀ ଦେଓ ମୁହାଁମୁହିଁ ହୋଇଛନ୍ତି ।

୪ ଲୋକସଭା ଓ ୨୮ ବିଧାନସଭା ପାଇଁ ୩୨ ଜଣ ନେତାଙ୍କୁ ବାଛିଛନ୍ତି ଜନତା । ଯେଉଁ ନେତାଙ୍କ ପଲା ଭାରି ସେମାନଙ୍କ ଛାତି ଯେତିକି ଧଡ଼ପଡ଼ ହୋଇଛି, ସେତିକି ଦ୍ୱନ୍ଦ୍ୱରେ ରହିଛନ୍ତି ଟିକେ ପଛରେ ପଡିଥିବା ନେତା । କାରଣ ଜନତା କାହା ଉପରେ ଭରସା କରିଛନ୍ତି, କାହାକୁ ବିଜୟର ଟିକା ପିନ୍ଧାଇଛନ୍ତି, ସବୁକିଛି ସିଲ୍ ହୋଇ ଯାଇଛି ଇଭିଏମରେ । ଜୁନ ୪ରେ ଆସିବ ଫଳାଫଳ ।

ଗଣତନ୍ତ୍ରର ଏହି ମହାପର୍ବରେ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସାମିଲ ହୋଇ ୭୩୦୩ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଗାଁଠୁ ସହର, ଉପାନ୍ତଠାରୁ ମାଓ ପ୍ରବଣ ଅଂଚଳ ସବୁଠି ପଡ଼ିଛି ଭୋଟ । କିଛି ଅଂଚଳରେ ହିଂସା, କିଛି ସ୍ଥାନରେ ଭୋଟ ରିଗିଂ ଅଭିଯୋଗ, ଆଉ ତା’ ଭିତରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।