ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ ଏନଜିଓ ପ୍ରଜା ଫାଉଣ୍ଡେସନର ଅଧ୍ୟୟନ 

220

କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ  ଓଡିଶା ହାସଲ କରିଛି ଏକ ନମ୍ବର ।  ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା  ସର୍ଭେରେ  ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ  ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା ।

ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ  ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ଏଭଳି ରିପୋର୍ଟକାର୍ଡ ପ୍ରକାଶ ପାଇଛି ।  ଓଡିଶା ୫୬ ଦଶମିକ ୮୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ  ମହାରାଷ୍ଟ୍ର  ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହି ରିପୋର୍ଟ କାର୍ଡରେ ଛତିଶଗଡ ତୃତୀୟ, କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ଅଛନ୍ତି । ତେବେ ସାମଗ୍ରିକଭାବେ ଦେଖିଲେ , କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି ।  ତେଣୁ ସହରୀ ଶାସନରେ ସଂସ୍କାର ଓ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।  ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ , ମଣିପୁର ଓ ନାଗାଲାଣ୍ଡ ।