କନକ ବ୍ୟୁରୋ : କାମ୍ବୋଡିଆରେ ବନ୍ଦୀ ଜୀବନ ବିତାଉଥିବା ରଙ୍ଗେଇଲୁଣ୍ଡାର ଗୋଳନ୍ଥରାର ଦୀନବନ୍ଧୁ ସାହୁ ନିଜ ଘରକୁ ଫେରିବା ପରେ ପୂରା ଗାଁରେ ଖୁସିର ମାହୋଲ । ଘରକୁ ଫେରିବା ପରେ ତାଙ୍କ ସହ ଘଟି ଯାଇଥିବା ଦୁଃଖକୁ ବଖାଣିଛନ୍ତି ଦୀନବନ୍ଧୁ । କହିଛନ୍ତି, ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ କେମିତି ବିକିଦେଇଥିଲା ଏଜେଂଟ । ୨୫ଶହ ଡଲାର ଦେଲେ ଛାଡ଼ିବେ ବୋଲି ଏଜେଂଟ କହିଥିଲେ । ଆଉ ଘରକୁ ନଫେରିପାରି କୋଠରୀରେ ବନ୍ଦୀ ଭାବରେ ଜୀବନ ବିତାଉଥିଲେ ଦୀନବନ୍ଧୁ । ତାଙ୍କ ବିଷୟରେ ଜାଣିବା ପରେ, କାନାଡାରେ ଥିବା ଗ୍ଲୋବାଲ ଓଡ଼ିଆ ଭଲ୍ୟୁଟିୟର୍ସ ଆସୋସିଏସନର ସଂଜୟ ଦଳାଇଙ୍କ ସହାୟତାରେ ଦୀନବନ୍ଧୁ ଘରକୁ ଫେରିଛନ୍ତି ।

Advertisment

ବାପା ଛେଉଣ୍ଡ ଦୀନବନ୍ଧୁ ସ୍ନାତକ ପରେ କମ୍ପ୍ୟୁଟର ଶିକ୍ଷା ଲାଭ କରି ଚାକିରି ଅନ୍ୱେଷଣରେ ପ୍ରଥମେ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇ ସେଠାରେ କିଛି ଦିନ କାମ କରିଥିଲେ । ଗତ ଜୁଲାଇ ମାସରେ ଗୁଜରାଟର ଜଣେ ଦଲାଲର ପ୍ରଲୋଭନରେ ଆସି ଦେଢ଼ ଲକ୍ଷ ଟଙ୍କା ଦେଇ କମ୍ପ୍ୟୁଟର ଅପରେଟର ଚାକିରି ପାଇଁ ଯାଇ କମ୍ବୋଡିଆରେ ଫସିଥିଲେ । ସିମ୍ ହ୍ୟାକ୍, ମେସେଜ କରି ଲୋକଙ୍କୁ ଟ୍ରାପ୍ କରିବା, ଅନାବଶ୍ୟକ ଚାଟ୍ କରିବା ଭଳି କାମରେ ଦୀନବନ୍ଧୁଙ୍କୁ ନିଯୁକ୍ତି କରିଥିଲା ସେହି କମ୍ପାନୀ । ଏସବୁ ଜାଣିବା ପରେ ଭାରତ ଫେରିବାକୁ ସେ ଉଦ୍ୟମ କରିଥିଲେ । କିନ୍ତୁ ୨ହଜାର ଡଲାରରେ ଦଲାଲ ଜଣଙ୍କ ଦୀନବନ୍ଧୁଙ୍କୁ ବିକ୍ରି କରିଦେଇଥିବାରୁ ସେ ସେଠାରୁ ଆଉ ମୁକୁଳିବା କଷ୍ଟକର ହୋଇପଡ଼ିଥିଲା ।

ରାଜ୍ୟକୁ କୋଟି କୋଟି ଟଙ୍କା ପୁଞ୍ଜିନିବେଶ ଆସୁଥିବା ସରକାର କହୁଥିବାବେଳେ, ଦୀନବନ୍ଧୁ ଚାକିରି କରିବାକୁ କାମ୍ବୋଡିଆକୁ ଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ରାଜ୍ୟରେ କାହିଁକି ବେକାରୀଙ୍କ ପାଇଁ କର୍ମନିଯୁକ୍ତି ସୁବିଧା କରୁନାହାନ୍ତି ସରକାର? କାହିଁକି ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି ଓଡିଆ?