କାଲିମେଳାରୁ ବଲିଉଡ ହିରୋ: ବହୁଭାଷୀ ଚଳଚ୍ଚିତ୍ର ‘ଅନଲିମିଟେଡ’ରେ ଓଡିଆ ପୁଅ ଅମନ

272

କନକ ବ୍ୟୁରୋ: ମନରେ ଇଚ୍ଛା ଆଉ ନିଜ ଉପରେ ଭରସା ଥିଲେ ସଫଳତା ଆପେ ଆପେ ମିଳିଥାଏ । ଯେଉଁଠି ଲୋକମାନେ ଦିଓଳି ଦିମୁଠା ଖାଇବା ପାଇଁ ସଂଘର୍ଷ କରନ୍ତି, ଯେଉଁଠି ବିକାଶର ପାଦ ଚିହ୍ନ ନଥାଏ, ସେହି ଜାଗାରୁ ଜଣେ ସଫଳତାର ମଞ୍ଜି ବୁଣିବା କେତେ ଯେ କଷ୍ଟ ତାହା ସେ ନିଜେ ହିଁ ଜାଣିଥାଏ । ଆମେ ଆଜି ସେମିତି ଜଣେ ଓଡିଆ ପୁଅଙ୍କ କଥା କହିବୁ ଯିଏ କାଲିମେଳା ଭଳି ଉପାନ୍ତ ଅଞ୍ଚଳରୁ ଯାଇ ପହଞ୍ଚିଛନ୍ତି ବଲିଉଡରେ ।

ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଅମନ କୁମାର । ଅମନ ବହୁଭାଷୀ ଚଳଚିତ୍ର “ଅନଲିମିଟେଡ’’ରେ ଜଣେ ନବାଗତ ନାୟକ ଭାବରେ ନଜର ଆସିବେ । ନର୍ଲା ପ୍ରଡ଼କ୍ସନ ହାଉସ ବ୍ୟାନରରେ ୭ଟି ଭାଷାରେ ନିର୍ମିତ ଏହି ଚଳଚିତ୍ରରେ ଅମନ କୁମାର ନାମକ ଏହି ଯୁବକ ଜଣଙ୍କ ଉପରେ ଏବେ ବଲିଉଡ଼ର ନଜର ରହିଛି ।

ମାଲକାନଗିରି ଜିଲ୍ଲାର କାଲିମେଳା ପରି ଏକ ଉପାନ୍ତ ଅଂଚଳର ନିପଟ ମଫସଲ ଗାଁର ଶଙ୍କର ମଜୁମଦାର । ଶଙ୍କରଙ୍କ ୨ ପୁଅ ଓ ଗୋଟିଏ ଝିଅଙ୍କ ମଧ୍ୟରୁ ଅମନ କୁମାର ହେଉଛନ୍ତି ବଡ଼ । ଚଳଚିତ୍ର ଦୁନିଆରେ ଅମନ କୁମାର ନାମରେ ପରିଚିତ ଏହି ଯୁବକଙ୍କର ମୂଳ ନାଁ ହେଉଛି ଉଜ୍ୱଳ ମଜୁମଦାର । ସେ ପ୍ରଥମେ କାଲିମେଳା ହାଇସ୍କୁଲ ଓ ପରେ ଏମଭି-୯୦ ଗୋପବନ୍ଧୁ ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାସ କରିବାପରେ ଭୁବନେଶ୍ୱର ଚାଲିଯାଇଥିଲେ ଉଚ୍ଚ ଶିକ୍ଷା ପାଇଁ ।

ଭୁବନେଶ୍ୱରରେ ପାଠ ପଢୁଥିବା ସମୟରେ ଓଡ଼ିଆ ଚଳଚିତ୍ର ଦୁନିଆର ଜଣାଶୁଣା ନିର୍ଦେଶକ ସୁଧାକର ବସନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅମନଙ୍କ ନିଷ୍ଠା ଓ ପ୍ରବଳ ଆଗ୍ରହକୁ ଦେଖି ସୁଧାକର ତାଙ୍କ ସହ କାମ କରିବାକୁ ସୁଯୋଗ ଦେଇଥିଲେ । ୬ବର୍ଷ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିବା ସମୟରେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । ତେବେ ଜୀବନର ଗତିପଥ ସେତେବେଳେ ବଦଳିଯାଇଥିଲା ଯେତେବେଳେ ଦକ୍ଷିଣ ଭାରତର ଜଣାଶୁଣା ପ୍ରଯୋଜକ ଓ ନିର୍ଦ୍ଦେଶକ ବିକ୍ରମ ବାସୁଦେବ ନର୍ଲାଙ୍କ ସହିତ ପରିଚିତ ହୋଇଥିଲେ । ଅମନଙ୍କ ପ୍ରତିଭାକୁ ଅଳ୍ପ ସମୟ ମଧ୍ୟରେ ଚିହ୍ନି ଯାଇଥିଲେ ବିକ୍ରମ । ଆଉ ଏହାପରେ ତାଙ୍କୁ ନିଜ ପ୍ରୋଜେକ୍ଟ “ଅନଲିମିଟେଡ଼‘’ରେ ଅଫର ଦେଇଥିଲେ ।

ନର୍ଲା ପ୍ରଡ଼କ୍ସନ ହାଉସ ବ୍ୟାନରରେ ଏହି ଚଳଚ୍ଚିତ୍ର ୭ଟି ଭାଷାରେ ନିର୍ମିତ ହୋଇଛି । ଏହି ଚଳଚିତ୍ରରେ ଅମନଙ୍କ ସହିତ ବଲିଉଡ଼ର ନାମୀଦାମୀ କଳାକାର ଆୟେଶା କାପୁର, ଆୟାଂନସ ସରିଫ, ଅନିଲ ରେସ୍ତୋଗୀ, ଅନୁପ ଚୌଧୁରୀ ପ୍ରମୁଖ ଅଭିନୟ କରୁଛନ୍ତି । ସେହିପରି ବିକ୍ରମ ବାସୁଦେବ ନର୍ଲା ନିଜେ ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି । ଲକ୍ଷେ୍ମø ଓ ହାଇଦ୍ରାବାଦରେ ଏହାର ଅଧିକାଂଶ ସୁଟିଂ ଶେଷ ହୋଇଥିବାବେଳେ କରୋନା ମହାମାରୀ ଯୋଗୁଁ ସୁଟିଂ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ତେବେ ବର୍ତମାନ ପୁନର୍ବାର ଏହାର ବଳକା ସୁଟିଂ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ନବାଗତ ନାୟକ ଅମନ କୁମାର ।

ଅମନ ନିଜକୁ ଫିଟ ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ପରିଶ୍ରମ କରନ୍ତି । ବଲିଉଡ଼ ମୁଭି ଅନଲିମିଟେଡ଼ ପାଇଁ ବେଶ ଉତ୍ସାହିତ ଅଛନ୍ତି ଅମନଙ୍କ ପରିବାର । ତାଙ୍କ ବାପା ଶଙ୍କର ମଜୁମଦାର, ଜେଜେ ବାପା ବୀରେନ ମଜୁମଦାର ଓ ଭଉଣୀ ପୂଜା ମଜୁମଦାର ମଧ୍ୟ ଏଥିପାଇଁ ବେଶ ଖୁସି ଥିବାର ପ୍ରକାଶ କରିଛନ୍ତି ।