ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଥମ ଟର୍ମ ପରୀକ୍ଷା ପାଇଁ ‘ଗୌଣ’ ଭାଷା ଭାବେ ସ୍ଥାନ ପାଇଲା ଓଡ଼ିଆ ।

395

କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ- ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷାରେ, ଓଡ଼ିଆ ବିଷୟ ଏକ ଗୌଣ ବିଷୟ ଭାବେ ସ୍ଥାନ ପାଇଛି । ଏଥିରେ ଲେଖାଯାଇଛି ଏହା ମାଇନର ଲାଂଗୁଏଜ ଅର୍ଥାତ ଗୌଣ ଭାଷା । ସିବିଏସଇ ପାଇଁ ଓଡ଼ିଆ, ଓଡ଼ିଶାରେ ବି ଗୌଣ ଭାଷା ବନି ଯାଇଛି । ଅଭିଯୋଗ ଅନୁସାରେ ଏକଥା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ନିଜକୁ ଛୋଟ ମନେ କରୁଛନ୍ତି ।

ଅଭିଯୋଗ ହେଉଛି ଇଂରାଜୀ ମିଡିୟମ୍ ସ୍କୁଲରେ ପଢ଼ିବା ପରେ ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ କମି ଯାଉଛି, କିନ୍ତୁ ଓଡ଼ିଆକୁ ଗୌଣ ରଖିବା ଫଳରେ ଏହି ଭାଷା ପ୍ରତି ଅନାଗ୍ରହ ସୃଷ୍ଟି ହେବ ବୋଲି କୁହାଯାଇଛି । ସେପଟେ ସିବିଏସଇ ପକ୍ଷରୁ ଏକ ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି, ପ୍ରଶାସନିକ ସୁବିଧା ପାଇଁ ଏଭଳି ବର୍ଗୀକରଣ କରାଯାଇଛି । ସବୁ ଆଞ୍ଚଳିକ ଭାଷାକୁ ମାଇନର ବା ଗୌଣ ଭାଷା ଭାବେ ସ୍ଥାନିତ କରାଯାଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି ପ୍ରଶାସନିକ ସୁବିଧା ପାଇଁ ଓଡ଼ିଆ ଭାଷାକୁ କେମିତି ଗୌଣ ବର୍ଗରେ ସ୍ଥାନିତ କରାଯାଉଛି ।