ସିବିଏସଇ ମାପଦଣ୍ଡରେ ଓଡ଼ିଆ ଏକ ‘ଗୌଣ’ ବିଷୟ । ଉଠିଲା ପ୍ରଶ୍ନ, କାହିଁକି ଓଡ଼ିଶାରେ ବି ଗୌଣ ହେଲା ଓଡ଼ିଆ ଭାଷା ?

240

କନକ ବ୍ୟୁରୋ : ଓଡ଼ିଶାରେ ଓଡ଼ିଆ ଏକ ଗୌଣ ବିଷୟ । ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ-ସିବିଏସଇର ମାପଦଣ୍ଡରେ ଓଡିଆକୁ ଗୌଣ ବିଷୟ ବୋଲି ଦର୍ଶାଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷାରେ, ଓଡ଼ିଆକୁ ଏକ ଗୌଣ ବିଷୟର ମାନ୍ୟତା ଦିଆଯାଇଛି । ଗୋଟିଏ ପଟେ ଇଂଜିନିୟରିଂ ଓ ଅନ୍ୟ ବୈଷୟିକ ଶିକ୍ଷାକୁ ଓଡିଆ ଭାଷାରେ ପଢା ଯିବା ନେଇ ଚିନ୍ତା କରାଯାଉଛି, ଅନ୍ୟପଟେ ଇଂରାଜୀ ମିଡିୟମ୍ ସ୍କୁଲରେ ଓଡିଆ ବିଷୟକୁ ଗୌଣ ତାଲିକାରେ ରଖାଯାଉଛି । ସେପଟେ ସିବିଏସଇ ପକ୍ଷରୁ କୁହାଯାଇଛି, ପ୍ରଶାସନିକ ସୁବିଧା ପାଇଁ ଏଭଳି ବର୍ଗୀକରଣ କରାଯାଇଛି ।

ସିବିଏସଇ ମାପଦଣ୍ଡରେ ଓଡ଼ିଆ ଏକ ‘ଗୌଣ’ ବିଷୟ । ଓଡ଼ିଶାରେ ବି ଓଡ଼ିଆ ହେଲା ଗୌଣ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା କରିବାକୁ ଯାଉଛି ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ । ହେଲେ ଏହି ପରୀକ୍ଷାରେ ବିଷୟବସ୍ତୁକୁ ନେଇ ଏଭଳି ବର୍ଗୀକରଣ କରାଯାଇଛି, ଯାହା ବିବାଦ ସୃଷ୍ଟି କରିଛି ।

ଓଡ଼ିଶାରେ ସିବିଏସଇ ପରିଚାଳିତ ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ଭାଷା ଏକ ଗୌଣ ବିଷୟ ଭାବେ ପରିଗଣିତ ହୋଇଛି । ଯାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି । ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ଶିକ୍ଷକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ଓଡ଼ିଆ ପଢ଼ିବା ପାଇଁ ଆଗ୍ରହ କମିଯିବ ବୋଲି ସେମାନେ କହିଛନ୍ତି ।

ସିବିଏସଇର ପ୍ରଥମ ଟର୍ମ ପରୀକ୍ଷା ସୂଚୀରେ କେଉଁ କେଉଁ ବିଷୟ ମାଇନର ବା ଗୌଣ, ଏଥିରେ ବର୍ଗୀକରଣ କରାଯାଇଛି । ଆଂଚଳିକ ଭାଷାଗୁଡିକୁ ଗୌଣ ଦର୍ଶାଯାଇଛି । ଦଶମ ଶ୍ରେଣୀ ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ନଭେମ୍ବର ୧୭ରୁ ଡିସେମ୍ବର ୭ ତାରିଖ ଯାଏଁ ଚାଲିବ । ନଭେମ୍ବର ୨୯ରେ ଓଡ଼ିଆ ରହିଛି । ଗୌଣ ବିଷୟ ଭାବେ ଓଡ଼ିଶାରେ ବି ଓଡ଼ିଆ ରହିଛି । ମାଇନର ବା ଗୌଣ ବିଷୟ ଆଖ୍ୟା ଦେଇ ଓଡ଼ିଆ ଭାଷାକୁ ସିବିଏସଇ ଅପମାନିତ କରିଛି ବୋଲି ମତପ୍ରକାଶ ପାଇଛି ।

ଇଂଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା, ଓଡ଼ିଆରେ କରିବାକୁ ଏବେ ଚିନ୍ତା କରାଯାଉଛି । ଏହାଦ୍ୱାରା ଓଡ଼ିଆ ଭାଷାର ବ୍ୟବହାରିକ ସୁଯୋଗ ବଢ଼ିବ ବୋଲି କୁହାଯାଉଛି । କିନ୍ତୁ ଏପଟେ ଇଂରାଜୀ ମିଡିୟମ ସ୍କୁଲରେ ଦଶମ, ଦ୍ୱାଦଶ ଶ୍ରେଣୀରେ ଓଡ଼ିଆ ଭାଷାକୁ ଗୌଣ ଦୃଷ୍ଟିରେ ଦେଖାଯିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି ।

ଏହି ମାମଲାରେ ଆପତ୍ତି ଉଠିବା ପରେ ସିବିଏସଇ ପକ୍ଷରୁ ସ୍ପଷ୍ଟିକରଣ ଦେଇ କୁହାଯାଇଛି ଏହା ପ୍ରଶାସନିକ ସୁବିଧା ପାଇଁ କରାଯାଇଛି । ସବୁ ଆଞ୍ଚଳିକ ଭାଷାକୁ ମାଇନର କାଟାଗୋରୀ ବା ଗୌଣ ବର୍ଗରେ ରଖାଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଭାଷାକୁ ଗୌଣ ବିଷୟ ଭାବେ ମାନ୍ୟତା ଦେବା କେତେଦୂର ଗ୍ରହଣୀୟ? ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଦେବାକୁ ଦାବି ହୋଇଛି ।