ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଚାଲିଛି ମତଦାନ । ଓଡିଆ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ।

107

କନକ ବ୍ୟୁରୋ : ୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟ ଲଢେଇରେ ଆଜି ଦେଶର ୫୯ଟି ଲୋକସଭା ଆସନରେ ଚାଲିଛି ମତଦାନ ପ୍ରକ୍ରିୟା । ଆଉ ଏଥିରେ ଆଜି ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ୍) ଓଡ଼ିଆ ଭୋଟର୍‌ଙ୍କ ସମର୍ଥନ ହାସଲ କରିବା ପାଇଁ ଜୋର୍‌ଦାର ପ୍ରୟାସ କରିଛନ୍ତି । ଦିଲ୍ଲୀରେ ଲକ୍ଷାଧିକ ଓଡ଼ିଆ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୨୦ ହଜାର ଭୋଟର୍‌ ଥିବା ଜଣାପଡ଼ିଛି । ଓଡ଼ିଆ ଭୋଟରମାନେ ବିଶେଷଭାବେ ‌ହଜ୍‌ଖାସ, ମୁନିରିକା, ସାକେତ, ମାଲବ୍ୟନଗର, ଶାହପୁରଜାଟ୍, କଟଵାରିଆସରାଏ, ବେରସରାଏ, ଲାଡୁସରାଏ, ଜିଆସରାଏ, ଜେଏନ୍‌ୟୁ କ୍ୟାମ୍ପସ୍, ସଙ୍ଗମ ବିହାର, ପାଲମ୍‌ ଆଦି ସ୍ଥାନରେ ରହୁଛନ୍ତି ।

ଦିଲ୍ଲୀରେ ଏଥର ତ୍ରିକୋଣୀୟ ମୁକାବିଲା ହେବାକୁ ଥିବାରୁ ଓଡ଼ିଆ ଭୋଟରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି । ଦିଲ୍ଲୀର ‘ମିନି ଓଡ଼ିଶା’ ରୂପେ ପରିଚିତ କଟଵରିୟା ସରାଏରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର କରିଥିଲେ । ଦିଲ୍ଲୀର ଦୁଇ ପ୍ରମୁଖ ଜଗନ୍ନାଥ ମନ୍ଦିର ହଜ୍‌ଖାସ ଓ ତ୍ୟାଗରାଜ ନଗରକୁ ତିନି ରାଜନୈତିକ ଦଳର ନେତାମାନେ ଆସି ଓଡ଼ିଆ ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଭୋଟଦାନ ପାଇଁ ଅନୁରୋଧ କରିଥିଲେ । କେବଳ ପ୍ରତିଷ୍ଠିତ ମନ୍ଦିର ନୁହେଁ ଓଡ଼ିଆ ସାମାଜିକ ଓ ସାଂସ୍କୃତି ସଂଗଠନର ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ ହୋଇଥିଲା । ଓଡ଼ିଆ ଭୋଟରମାନେ ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ପାଇଁ କିଭଳି ଉଚିତ୍ ବ୍ୟବସ୍ଥା ହେବ ସେନେଇ ବିଭିନ୍ନ ଦଳର ନେତାଙ୍କଠାରୁ ପ୍ରତିଶ୍ରୁତି ଲୋଡ଼ିଛନ୍ତି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଆଙ୍କ ପାଇଁ ଦିଲ୍ଲୀରେ ସେଭଳି କିଛି କାର୍ଯ୍ୟ ହୋଇନଥିବା ଅନେକ ଅଭିଯୋଗ କରିଛନ୍ତି ।