ଓଲିଉଡର ଲୋକପ୍ରିୟ ଅଭିନେତା ଦେବୁ ବୋଷ ତାଙ୍କ ଦୀର୍ଘ ୩୮ ବର୍ଷର କ୍ୟାରିୟରରେ ୧୨୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଥିଲେ। ହେଲେ ସେଥିମଧ୍ୟରୁ କେତେକ ସିନେମାରେ ଖଳନାୟକ ଭୂମିକା ବି ନିଭାଇଥିଲେ । ଆସନ୍ତୁ ଜାଣିବା ସେହି ବିଷୟରେ...

Advertisment

ଏଇତ ଦୁନିଆଁ : ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ସୁପରହିଟ୍ ସିନେମା ‘ଏଇତ ଦୁନିଆଁ’ରେ ଦେବୁ ବୋଷଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ଦେବୁ ବୋଷ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂମିକାରେ ନଜର ଆସିଥିଲେ, ଯାହାଙ୍କ ଚକ୍ରାନ୍ତର ଶିକାର ହୋଇ ଜଣେ ଛାତ୍ରବତ୍ସଳ ଶିକ୍ଷକ (ମହମ୍ମଦ ମହସୀନ୍) ଆତ୍ମହତ୍ୟା କରିଥିଲେ। ଏହି ଫିଲ୍ମରେ ବି ଦେବୁ ଦା’ଙ୍କ ଅଭିନୟ ଚିତ୍ତାକର୍ଷକ ଥିଲା।

ତପସ୍ୟା : ବିଶ୍ୱନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ସୁପରହିଟ୍ ସିନେମା ‘ତପସ୍ୟା’ରୁ ଅଭିନେତା ଭାବେ ସିନେମାରେ ପ୍ରବେଶ କରିଥିଲେ। ପ୍ରଥମ ସିନେମାରେ ଦେବୁ ବୋଷଙ୍କୁ ଖଳଚରିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଭୂମିକାଟି ଥିଲା ଜଣେ ଡ୍ରାଇଭରର ଯିଏ ନାୟିକା(ଅନୀତା ଦାସ)ଙ୍କ ସହ ଦୁଷ୍କର୍ମର ପ୍ରୟାସ କରିଥିଲା। ‘ତପସ୍ୟା’ରେ ଦେବୁ ବୋଷଙ୍କ ଅଭିନୀତ ଚରିତ୍ରଟି ସଂକ୍ଷିପ୍ତ ଥିଲେ ହେଁ ସେ ପ୍ରଭାବଶାଳୀ ଅଭିନୟ କରି ନିର୍ମାତା-ନିର୍ଦ୍ଦେଶକ ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଯେ ପାଞ୍ଚେ ପରମନ୍ଦ : ସାଧାରଣତଃ ସ୍ନେହୀ ଓ ଶୃଂଖଳିତ ପିତା ଭୂମିକା ନିର୍ବାହକରି ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିଥିବା ଅଭିନେତା ଦେବୁ ବୋଷ ଶେଷ ଥର ପାଇଁ ଯେଉଁ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଆସିଥିଲେ, ତାହା ହେଲା ‘ଯେ ପାଂଚେ ପର ମନ୍ଦ’। ନିରଂଜନ ରଣାଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦେବୁଙ୍କ ଭୂମିକା ଥିଲା ଜଣେ ଚକ୍ରାନ୍ତକାରୀ ଦିଅରର ଯିଏ କି ସଂପତ୍ତି ପାଇଁ ବିଭିନ୍ନ କାଣ୍ଡ ଘଟାଏ। ଏହି ସିନେମାରେ ତାଙ୍କ ଚରିତ୍ରଟି ପ୍ରଥମେ ଭଲ ଜଣା ପଡୁଥିଲେ ବି ଶେଷରେ ଖଳନାୟକ ବୋଲି ଜଣାପଡ଼େ।