କନକ ବ୍ୟୁରୋ: ସ୍ୱୟଂ ସତ୍ୟ ପ୍ରଜ୍ଞ । ସ୍ୱୟଂ ଇମ୍ଫାଲରେ ଥିବା କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ, ବିଏସସି ଏଗ୍ରିକଲଚରରେ ପାଠ ପଢ଼ନ୍ତି । ମଣିପୁର ହିଂସାଘଟଣାରେ ସେ, ଗୁଳିମାଡ଼ର ଶବ୍ଦ ଶୁଣିଛନ୍ତି । ବୋମା ମାଡ଼ର ଶବ୍ଦ ଶୁଣିଛନ୍ତି । ସ୍ୱୟଂ ଭଳି ସେହି କଲେଜରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ କଲେଜ ପାଖାରେ ଜଳୁଥିବା ଜଙ୍ଗଲର ନିଆଁକୁ ଦେଖିଛନ୍ତି । ଅତି ପାଖରୁ ହିଂସାକାଣ୍ଡ ଦେଖିଛନ୍ତି । ହିଂସାରେ ଜଳୁଥିବା ମଣିପୁରରୁ ଫେରିବା ପରେ ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ଏବେ ଆଶ୍ୱସ୍ତ । ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ଏମାନେ ଓଡ଼ିଶା ଫେରିଛନ୍ତି ।

Advertisment

ହିଂସା ଭିତରେ ମଣିପୁରରେ ପାଠପଢ଼ୁଥିବା ୧୦ଜଣ ଛାତ୍ରଛାତ୍ରୀ ଓଡିଶା ଫେରିଛନ୍ତି । ଆଦିବାସୀ-ଅଣଆଦିବାସୀ ବିବାଦ ଯୋଗୁଁ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଯୋଗୁଁ ଏହି ଛାତ୍ରଛାତ୍ରୀ, ଆଶା-ଆଶଙ୍କାରେ ରହିଥିଲେ । କେବେ ସ୍ଥିତି ସୁଧୁରିବ, କେମିତି ସେମାନେ ଓଡ଼ିଶା ଫେରିବେ, ଏଭଳି ଦ୍ୱନ୍ଦ୍ୱରେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ । ଯୋଗାଯୋଗ କରିବାର ଦୁଇ ଦିନ୍ ଭିତରେ ସମସ୍ତଙ୍କୁ ଓଡିଶା ଫେରେଇ ଅଣାଯାଇଛି । ପ୍ରଥମେ ମଣିପୁରରୁ କଲିକତା ଓ ପରେ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଛି । ପରବର୍ତୀ ସମୟରେ ଛାତ୍ରଛାତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ- ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଆହୁରି ୧୯ଜଣ ଛାତ୍ରଛାତ୍ରୀ ଓଡ଼ିଶା ଫେରିବେ ।