ୟୁକ୍ରେନର ଯୁଦ୍ଧ ଭୂମିରେ ଫଶି ରହିଛନ୍ତି ବହୁ ସଂଖ୍ୟାରେ ଓଡ଼ିଆ । ବଙ୍କର ଭିତରେ ଅତି ବିପଦଜନକ ଅବସ୍ଥାରେ କାଟୁଛନ୍ତି ଦିନ ।

162

କନକ ବ୍ୟୁରୋ : ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭକୁ ଦଖଲ ପାଇଁ ରୁଷ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି । ଆଉ ରୁଷକୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା । ଆଜି ଖାରକିଭର ଏକ ସମାରିକ ଘାଟିକୁ ଏୟାରଷ୍ଟ୍ରାଇକ୍ କରି ଉଡାଇ ଦେଇଛି ମସ୍କୋ । ସେପଟେ ଯୁଦ୍ଧ ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ପ୍ରବାସୀ ଭାରତୀୟ । ସେମାନଙ୍କ ମଧ୍ୟରେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ଯୁଦ୍ଧ ଯେତେ ଆଗକୁ ବଢୁଛି ସେମାନଙ୍କ ଉଦ୍ଧାର ସେତେ କଷ୍ଟକର ହୋଇପଡୁଛି । କାରଣ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ସ୍ଥାନୀୟ ୟୁକ୍ରେନବାସୀ ଭାରତୀୟଙ୍କୁ ପ୍ରତିରୋଧ କରୁଛନ୍ତି ।

ୟୁକ୍ରେନରେ ଫଶି ରହିଛନ୍ତି ଓଡିଆ ଛାତ୍ରଛାତ୍ରୀ । ଯୁଦ୍ଧ ଯେତେ ଆଗକୁ ବଢୁଛି ଏମାନଙ୍କ ଉଦ୍ଧାର ସେତେ କଷ୍ଟକର ହୋଇପଡୁଛି । କାରଣ ସ୍ଥାନୀୟ ୟୁକ୍ରେନବାସୀ ଭାରତୀୟଙ୍କୁ ପ୍ରତିରୋଧ କରୁଛନ୍ତି । ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ ଭାରତୀୟଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ଏଭଳି ଅବସ୍ଥାରେ ସ୍ଥାନୀୟ ଟ୍ରେନ କିମ୍ବା ବସ ମାଧ୍ୟମରେ ଯାତ୍ରା କରିବା ମଧ୍ୟ କଷ୍ଟକର ହୋଇପଡିଛି ।

ଉପଗ୍ନା ତ୍ରିପାଠୀ । ୟୁକ୍ରେନକୁ ମେଡିକାଲ ପଢିବାକୁ ଯାଇଛନ୍ତି । କିନ୍ତୁ ଏଭଳି ପରିସ୍ଥିତି ହେବ ବୋଲି କେହି ଭାବିନଥିଲେ । ଫୋନ ଲାଗୁନି, କି ଖବର ବି ଆସୁନି । ତେଣୁ ଚିନ୍ତାରେ ପରିବାର ଲୋକେ । ଭାରତୀୟ ଦୂତାବାସଙ୍କ ପରାମର୍ଶ କ୍ରମେ ଉପଗ୍ନା ଏବଂ ତାଙ୍କର ଅନ୍ୟାନ୍ୟ ସାଙ୍ଗ କିଭ୍ ରେଲୱେ ଷ୍ଟେସନକୁ ଆସିଥିଲେ । କିନ୍ତୁ ସେଠାରେ ତାଙ୍କୁ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇନଥିଲେ । ପରେ ଲିଭ ସହର ଯାଉଥିବା ନେଇ ସୂଚନା ମିଳୁଛି । କିନ୍ତୁ ଯୋଗାଯୋଗ ସମ୍ଭବ ହୋଇପାରୁନଥିବାରୁ କିଛି ସ୍ପଷ୍ଟ ହୋଇପାରୁନି ।

ୟୁକ୍ରେନର ସୁମି ଅଞ୍ଚଳ । ରୁଷିଆ ସୀମାରୁ ୪୦-୫୦ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳରେ ଅନେକ ଓଡିଆ ରହୁଛନ୍ତି । ଅନ୍ତିମ ତିନି ଦିନ ହେବ ସୁମିରେ ରୁଷ ସେନା ଗୁଳିଗୁଳା ବର୍ଷଣ କରୁଛି । ତେଣୁ ଘରୁ ନବାହାରିବାକୁ ସ୍ଥାନୀୟ ମେୟର ନିର୍ଦ୍ଦେଶ ଦେଇଛନ୍ତି । ଆଉ ଭୟରେ ବଙ୍କର ଭିତରେ ଦିନ-ରାତି କଟୁଛି ବୋଲି ଫଶି ହୋଇ ରହିଥିବା ଓଡିଆ ସ୍ମୃତି ରଞ୍ଜନ ନାୟକ କହିଛନ୍ତି । ସରକାର କହୁଛନ୍ତି ସୀମା ପାଖକୁ ଯିବାକୁ କିନ୍ତୁ ଗୁଳିର ଭୟ ଏବଂ ଥଣ୍ଡାର ପ୍ରକୋପ ଭିତରେ କିପରି ସୀମାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ।

ରାଜ୍ୟରେ ଅନେକ ଛାତ୍ରଛାତ୍ର ଏବେ ୟୁକ୍ରେନରେ ଫଶି ରହିଛନ୍ତି । ଅନ୍ୟପଟେ ୟୁକ୍ରେନ ଦଖଲ କରିବାକୁ ରୁଷ ଜୋରଦାର ପ୍ରସ୍ତୁତି କରୁଛି । ଏପରି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଜରୁରୀ ହୋଇପଡିଛି ।