୯ ମାସରେ ୯ମ ଶ୍ରେଣୀର ଓଡ଼ିଆ ପୁଅ କୋଟିପତି, ବାପାଙ୍କୁ ଉପହାରରେ ଦେଇଛନ୍ତି ଦାମୀ ଗାଡି ।

3,687

କନକ ବ୍ୟୁରୋ : ୯ ମାସରେ ୯ମ ଶ୍ରେଣୀର ପୁଅ କୋଟିପତି । କରୋନା ମହାମାରୀ ସମୟରେ ନବମ ଶ୍ରେଣୀରେ ପଢୁଥିବା ବାଲେଶ୍ୱରର ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ ନିଜ ବୁଦ୍ଧିର ଭରପୂର ସଦୁପଯୋଗ କରି ୯ ମାସରେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଅନଲାଇନ୍ ଟ୍ରେଡିଂରେ ପ୍ରଥମଥର ପାଇଁ ପାଦ ଥାପି ସଫଳତା ସାଉଁଟିଥିବା ଆୟୁଷ୍ମାନ୍ କିଛି ମ୍ୟାଜିକ୍ କରିନାହାନ୍ତି। କଠିନ ପରିଶ୍ରମ ଓ ବୁଦ୍ଧିର ଯେ ବିକଳ୍ପ ନାହିଁ, ଏହାକୁ ପ୍ରମାଣିତ କରିଛନ୍ତି।

ବାଲେଶ୍ୱର ଗୁଡ଼ିପଦା ଅଞ୍ଚଳର ରାମଚନ୍ଦ୍ର ମହାଳିକ ଓ ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ। ସେଣ୍ଟ୍ ଥୋମାସ୍ କନଭେଣ୍ଟ୍ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ଆୟୁଷ୍ମାନ ଜଣେ ମେଧାବୀ ଛାତ୍ର। ଟିଭି ଚ୍ୟାନେଲରେ ଗୀତ ଗାଇବା ସମୟରେ ସଙ୍ଗୀତଜ୍ଞ ଶାନ୍ତନୁ ନାୟକ, ଗୁଡୁଲି ରଥ ଓ ସୁନ୍ଦର ରାୟଙ୍କ ପ୍ରେରଣା ତାଙ୍କୁ କିଛି ଅଲଗା କରିବାକୁ ଖୋରାକ୍ ଯୋଗାଇଥିଲା। କରୋନା ସମୟରେ ଅନଲାଇନ୍ ଟ୍ରେଡିଂ ମାଧ୍ୟମରେ ରୋଜଗାର କରିହେବ ବୋଲି ସେମାନଙ୍କଠାରୁ ଜାଣିବା ପରେ ତାଙ୍କ ମନରେ ଅନିସନ୍ଧିତ୍ସୁ ବଢ଼ିଥିଲା। ଏ ସଂକ୍ରାନ୍ତରେ ଇଣ୍ଟରନେଟରୁ କିଛି ଜ୍ଞାନ ଆହରଣ କରିବା ପରେ ଦୁବାଇସ୍ଥିତ ସୁବାଡ଼େନ ଇ-କମର୍ସ କଂପାନି କ୍ରାଉଡ୍-୧ ମାଧ୍ୟମରେ ସେ ଆରମ୍ଭ କରିଥିଲେ ଇ ଟ୍ରେଡିଂ।

ଗତବର୍ଷ ଡିସେମ୍ବର ମାସରେ ବ୍ୟବସାୟରେ ପାଦ ଥାପି ମାତ୍ର ୯ ହଜାର ଟଙ୍କା ବିନିଯୋଗ କରିଥିବା ଆୟୁଷ୍ମାନ ୯ ମାସରେ କୋଟିଏ ଟଙ୍କା ରୋଜଗାର କରିଛନ୍ତି। ସବୁଠୁ ବଡ଼ କଥା ହେଲା, ତାଙ୍କ ମାଧ୍ୟମରେ ଓଡ଼ିଶା ସମେତ ବାହାର ରାଜ୍ୟର ୪ ହଜାର ୫୦୦ ଯୁବ ଗୋଷ୍ଠୀ ଏହି ନେଟ୍ ବ୍ୟବସାୟରେ ଯୋଡ଼ି ହୋଇଛନ୍ତି। ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବାକୁ ଲକ୍ଷ୍ୟ ରଖିଥିବା ଆୟୁଷ୍ମାନ ନିଜ ରୋଜଗାର ଅର୍ଥରୁ ଦୁଇଟି ଦାମୀ ଏସ୍‌ୟୁଭି କାର୍‌ କିଣି ବାପା, ମାଙ୍କୁ ଉପହାର ଦେଇଛନ୍ତି।