ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଜଣେ ଓଡିଆ ପୁଅ । ଓଡିଶା ପାଇଁ ଗର୍ବ ସାଉଁଟୁଛନ୍ତି ଆଇଏଏସ ସତ୍ୟବ୍ରତ ସାହୁ ।

304

କନକ ବ୍ୟୁରୋ : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହୋଇଛି । ଅନ୍ୟ ସମସ୍ତ ରାଜ୍ୟମାନଙ୍କ ଅପେକ୍ଷା ଚର୍ଚ୍ଚାରେ ରହିଛି ତାମିଲନାଡୁ। ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ତାମିଲନାଡୁର ବହୁ ଅଭିନେତା ଓ ରାଜନେତା ମତଦାନ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ତାମିଲନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଯିଏ ନିର୍ବାଚନର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି ସେ ହେଉଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ । ନୟାଗଡ଼ ଜିଲ୍ଲାର ଗଣିଆର ପୁଅ ସତ୍ୟବ୍ରତ ସାହୁ ତାମିଲନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେ ସେଠାରେ କଡ଼ା ନିୟମ ଲାଗୁ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ନିକଟରେ ତାମିଲନାଡୁର ଭେଲୋରଠାରେ ୧୧ କୋଟିରୁ ଊର୍ଧ୍ୱ ଟଙ୍କା ଜବତ ହେବା ପରେ ଶ୍ରୀଯୁକ୍ତ ସାହୁ ନିର୍ବାଚନ କମିସନଙ୍କ ନିକଟକୁ ଏକ ରିପୋର୍ଟ ପଠାଇଥିଲେ । ଭେଲୋରର ଡିଇଓ ଏବଂ ଆୟକର ବିଭାଗ ଜବତ ହୋଇଥିବା ଟଙ୍କା ସଂପର୍କରେ ସତ୍ୟବ୍ରତଙ୍କୁ ସୂଚନା ଦେବା ପରେ ସେ ନିର୍ବାଚନ କମିସନଙ୍କୁ ଜଣାଇ ଥିଲେ । ଏହା ପରେ କମିସନ ଭେଲୋରରେ ମତଦାନ ବାତିଲ୍ କରି ଦେଇଥିଲେ ।

କେତୋଟି ନିର୍ଦ୍ଦିଷ୍ଟ ବିଜ୍ଞାପନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଡିଏମକେ ଅଭିଯୋଗ ଆଣିବା ପରେ ତାମିଲନାଡୁର ମୁଖ୍ୟ ନିର୍ବାଚନ କମିସନ ସତ୍ୟବ୍ରତ ସାହୁ ରାଜ୍ୟର ୨ଟି ଚ୍ୟାନେଲ୍ ଓ ପ୍ରିଣ୍ଟ୍ ମିଡିଆର ବିଜ୍ଞାପନ ଉପରେ ରୋକ ଲଗାଇଥିଲେ । ଦୁଇଟି ପତ୍ର ଜରିଆରେ ସେ ବିଜ୍ଞାପନ ବନ୍ଦ କରିବାର ନିର୍ଦ୍ଦେଶ ଦେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ ।

ଉଲ୍ଲେଖଯୋଗ୍ୟ, ସତ୍ୟବ୍ରତ ସାହୁ ହେଉଛନ୍ତି ତାମିଲନାଡୁ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଅଫିସର୍ । ୨୦୧୮ ମସିହା ଫେବ୍ରୁଆରିରେ ସେ ସମୟର ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଲଖୋନିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଥିଲା । ତ’ ପୂର୍ବରୁ ସେ ଚେନ୍ନାଇ ମେଟ୍ରୋପଲିଟାନ୍ ଓ୍ଵାଟର୍ ସପ୍ଲାଏ ଆଣ୍ଡ୍ ସ୍ୱରେଜ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଥିଲେ । ନିର୍ବାଚନ କମିସନ ତାଙ୍କ ନାମ ସୁପାରିସ କରିବା ପରେ ସେ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ତାମିଲନାଡୁ ସରକାରଙ୍କ ଦ୍ବାରା ଶ୍ରେଷ୍ଠ ଜିଲ୍ଲାପାଳ ଭାବେ ପୁରସ୍କୃତ ହୋଇଥିଲେ ।