କନକ ବ୍ୟୁରୋ : ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା । କେବଳ ହିନ୍ଦୀ ଗୀତ ନୁହେଁ ବରଂ ଓଡିଆ ଗୀତରେ ନିଜର ଛାପ ଛାଡି ଯାଇଛନ୍ତି । ସେ ୨ଟି ଓଡିଆ ଫିଲ୍ମରେ ଗୀତ ଗାଇ ପ୍ରଂଶସା ସାଉଁଟିଥିଲେ । ଫିଲ୍ମ ଅରୁନ୍ଧତୀରେ ' ଆଜି ମୁଁ ଶ୍ରାବଣୀ' ଓ ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରରେ 'ସେଇ ଚୁନାଚୁନା ଫୁଲ' ଗୀତ ଗାଇଛନ୍ତି । ଏଥିସହିତ ୩ଟି ବିଦେଶୀ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଲଣ୍ଡନର ରୟାଲ ଆଲବର୍ଟ ହଲରେ ଗୀତ ଗାଇଥିଲେ ।
ସୌଭାଗ୍ୟବଶତଃ ଉକ୍ତ ଦୁଇ ସିନେମା ଜାତୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲା। ଏହି ଗୀତ ଦ୍ବୟ ଲାଗି ଓଡ଼ିଆ ସଙ୍ଗୀତ ଓ ସିନେମା ଜଗତ ଲତାଙ୍କ ସହ ଯୋଡ଼ି ହୋଇ ରହିଛି। ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗୀତର ସ୍ୱର ସଂଯୋଜନା କରିବା ସହ ଏଥିରେ ଲତାଙ୍କୁ ହିଁ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ନେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ ପ୍ରସ୍ତାବ ଦେଇଥିଲେ। ଲତାଙ୍କ ନାଁ ଶୁଣିବା କ୍ଷଣି ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ ।
ଏହାପରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଙ୍କ ପାଖକୁ ମୁମ୍ବାଇ ଯାଇ ଗୀତର ସ୍ୱର ଶୁଣାଇଥିଲେ। ଗୀତର ସ୍ୱର ଶୁଣିଲା ପରେ ଲତା ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ରାଜି ମଧ୍ୟ ହୋଇଥିଲେ। ଉପରୋକ୍ତ ଗୀତର ରେକର୍ଡିଂ ଅବସରରେ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ଗୀତର ଶୁଦ୍ଧ ଓଡ଼ିଆ ଉଚ୍ଚାରଣର ଶିକ୍ଷା ମଧ୍ୟ ସେ ସ୍ବର ସମ୍ରାଜ୍ଞୀଙ୍କୁ ଦେଇଥିଲେ। ଆଜି ଉକ୍ତ ଗୀତ ପାଇଁ ପୂରା ଓଡ଼ିଆ ସିନେ ଜଗତ ଲତାଙ୍କୁ ଝୁରୁଛି।
ତେବେ ଉକ୍ତ ଦୁଇଟି ଗୀତ ପରେ ଲତାଙ୍କ ସ୍ବର ଆଉ ଓଲିଉଡ୍ରେ ଶୁଣିବାକୁ ମିଳି ନ ଥିଲା। ଅନେକ ସଙ୍ଗୀତ ନିର୍ଦେଶକ ଲତାଙ୍କୁ ଆଣିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଯୋଡ଼ି ଭୁବନ-ହରି ‘ଗପ ହେଲେ ବି ସତ’ର କାଳଜୟୀ ଗୀତ ‘ମୁଁ ଯେ ଜାଣେ ନା କାହା ବାଟ…’ରେ ଲତା ମଙ୍ଗେସକରଙ୍କୁ ନେବା ଲାଗି ପ୍ରଚେଷ୍ଟା କରିଥିଲେ । ମାତ୍ର ସଫଳ ହୋଇ ନଥିଲେ ।
ଶେଷରେ ଏହି ଗୀତକୁ ସୁମନ କଲ୍ୟାଣପୁରଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା। ଠିକ୍ ସେହିପରି ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ‘ସବୁ ମାୟାରେ ବାୟା’ ସିନେମାର ସମ୍ବଲପୁରୀ ଗୀତ ‘ଛୁଇଁ ଦେଲେ ଛଇଲିକେ…’ରେ କଣ୍ଠଦାନ ଲାଗି ଲତାଙ୍କୁ ଅନୁରୋଧ କରିଥିଲେ। ତେବେ କୌଣସି କାରଣରୁ ସେ ରାଜି ହୋଇ ନ ଥିଲେ ଏବଂ ଗୀତଟି ଅନୁରାଧା ପୋଡୱାଲଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା।
ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ କହିବାନୁଯାୟୀ ଲତା ମଙ୍ଗେସକର ଗାଇଥିବା ଦୁଇଟି ଯାକ ଗୀତ ମୁମ୍ବାଇରେ ରେକର୍ଡ ହୋଇଥିଲା । ‘ସେଇ ଚୁନା ଚୁନା ତାରା ଫୁଲେ ଆଜି…’ ଗୀତର ଭାବକୁ ବୁଝିବା ଲାଗି ଲତା ଗୋଟିଏ ଦିନ ସମୟ ନେଇଥିଲେ । ‘ଆଜି ମୁଁ ଶ୍ରାବଣୀ…’ ଗୀତ ଗାଇବା ସମୟରେ ଶବ୍ଦଗୁଡ଼ିକ ଉଚ୍ଚାରଣ କରିବା ସମୟରେ ସ୍ୱର ସମ୍ରାଜ୍ଞୀ ସାମାନ୍ୟ କଷ୍ଟ ଅନୁଭବ କରିଥିଲେ। ତେବେ ଗୀତ ଏତେ ସୁମଧୁର ଥିଲା ଯେ ପ୍ରତିଟି ଓଡ଼ିଆ ଶ୍ରୋତାଙ୍କ ମଧ୍ୟରେ ତାହା ଏବେ ବି ଗୁଞ୍ଜରିତ ହେଉଛି ।