ପରଲୋକରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀରେ ହେବ ଶେଷକୃତ୍ୟ

280

କନକ ବ୍ୟୁରୋ : ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥଙ୍କ ହଜାର ହଜାର ଭଜନ ଗାଇ ସେ ଓଡିଆଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି ।

ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ନିଜ ଜୀବନକାଳ ଭିତରେ ଶାନ୍ତିଲତା ବାରିକ ଅନେକ ଲୋକପ୍ରିୟ ଭଜନ ଗାଇଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ଅନେକ ପ୍ରଂଶସକ ରହିଛନ୍ତି । ୨୦୧୧ରେ ସେ ଅସୁସ୍ଥ ହୋଇପଡିଥିଲେ । ସେତେବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା । ତା ପରଠୁ ସେ ନିୟମିତ ଔଷଧ ଖାଉଥିଲେ । କୋଭିଡ ପରେ ୨୦୨୨ରେ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଶାନ୍ତିଲତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କ ଭଜନ ତାଙ୍କୁ ଅମର କରି ରଖିବ । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶୋକ ପ୍ରକାଶ କରିଛନ୍ତି ।