ବିଶ୍ୱ ଦେଖିଲା ଓଡିଶାର ‘ମାସ୍କ’ । ଆର୍ଜେଣ୍ଟିନାରେ ପୁରଷ୍କୃତ ହେଲା ଓଡିଶାର ସର୍ଟ ଫିଲ୍ମ ‘ମାସ୍କ’ । କ୍ୱାରେଣ୍ଟାଇନ୍ ଇମେଜ୍ ଫିଲ୍ମ ଫେଷ୍ଟିଭାଲ୍-୨୦୨୦ରେ ଇଣ୍ଟରନ୍ୟାସନାଲ ଫିପୁଲ ଚଏସ୍ ପୁରସ୍କାର ଲାଭ କଲା ମାସ୍କ ।

1,246

କନକ ବ୍ୟୁରୋ: ଜଣେ ମଣିଷର ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ମାସ୍କ । ଅମୂଲ୍ୟ ଜୀବନକୁ ସାଧାରଣ କପଡା ମାସ୍କଟି ବଂଚାଇ ଦେଇପାରେ । ଏହି ବାର୍ତା ଦେଇ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ରାଜ୍ୟ ଓ ଦେଶ ପାଇଁ ସାଉଁଟିଛି ସମ୍ମାନ । ଆର୍ଜେଂଟିନାରେ ଅନୁଷ୍ଠିତ କ୍ୱାରେନଟିନ୍ ଇମେଜ୍ ଫିଲ୍ମ ଫେଷ୍ଟିଭାଲ୍-୨୦୨୦ରେ ଇଂଟରନ୍ୟାସନାଲ ଫିପୁଲ ଚଏସ୍ ପୁରସ୍କାର ଲାଭ କରିଛି ଫିଲ୍ମ ମାସ୍କ ।

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ୱେତ କୁମାର ଦାସ ଗତ ୪ ମାସ ହେଲା ଗଂଜାମରେ କରୋନା ମୁକାବିଲା ପାଇଁ କାମ କରୁଥିବା ବେଳେ ପାଇଥିଲେ ଏହି କାହାଣୀର ଭିତିଭୂମି । ଜଣେ ନବମ ଶ୍ରେଣୀରେ ପଢୁଥିବା ପିଲା କିଭଳି ପରିବାର ପ୍ରତିପୋଷଣ ପାଇଁ ମାଆର ହାତ ତିଆରି ମାସ୍କ ବିକି ପରିବାର ପ୍ରତିପୋଷଣ କରିବାକୁ ଉଦ୍ୟମ କରୁଛି । ତାହାରି ଭିତରେ ସେ ସାମ୍ନା କରୁଛି ବିଭିନ୍ନ ପ୍ରକାର ସମସ୍ୟା । କିନ୍ତୁ ମାସ୍କ ବିକ୍ରି କରିବା ଭିତରେ ପିଲାଟି ଦେଇଛି ମାସ୍କ ବ୍ୟବହାର ପାଇଁ ବାର୍ତା ।

ଫିଲ୍ମରେ ଅଜୁ ଭୂମିକାରେ ଅଭିନୟ କରିଥିବା ପିଲାଟିର ବାସ୍ତବ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି କ୍ଷୁଦ୍ର ଚଳଚିତ୍ର । ଏହାର ସଫଳତାକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତେ । ଫିଲ୍ମର ସଫଳତା ପାଇଁ ଓଏଏସ ଅଧିକାରୀ ଶ୍ୱେତକୁମାର ଦାସ ଓ ତାଙ୍କ ଦଳକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।