ଦୈନିକ ଖବରକାଗଜ ସମ୍ବାଦର ଆଜି ୩୭ ତମ ସ୍ୱନକ୍ଷତ୍ର । ୧୯୮୪ ମସିହା ଆଜିର ଦିନରେ ଓଡ଼ିଶା ଖବରକାଗଜ ଜଗତରେ ନୂଆ ବିପ୍ଳବ ନେଇ ଆସିଥିଲା ସମ୍ବାଦ

ଆଉ ଖବର ପ୍ରକାଶନରେ ବହୁ ନୂଆ ଧାରାର ପଥପ୍ରଦର୍ଶକ ସାଜି ଆସିଛି ସମ୍ବାଦ

176

କନକ ବ୍ୟୁରୋ: ଓଡିଶାର ଲୋକପ୍ରିୟ ଦୈନିକ ଖବରକାଗଜ ସମ୍ବାଦର ଆଜି ୩୭ ତମ ସ୍ୱନକ୍ଷତ୍ର ।୧୯୮୪ ମସିହା ଆଜିର ଦିନରେ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ଓଡ଼ିଶା ଖବରକାଗଜ ଜଗତରେ ନୂଆ ବିପ୍ଳବ ନେଇ ଆସିଥିଲା ସମ୍ବାଦ । ଆଉ ଖବର ପ୍ରକାଶନରେ ସମ୍ବାଦ, ବହୁ ନୂଆ ଧାରାର ପଥପ୍ରଦର୍ଶକ ସାଜି ଆସିଛି । ୩୬ ବର୍ଷର ଏହି ଗୌରବମୟ ଯାତ୍ରାରେ ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ସମ୍ବାଦ । ବହୁ ଝଡଝଂଜା ସହି ନିରବଚ୍ଛିନ୍ନ ଭାବେ ଓଡିଶାବାସୀଙ୍କ ପାଖରେ ଖବର ପହଂଚାଇ ଆସିଛି ଏବଂ ଆଜି ଘରେ ଘରେ ପରିଚିତ ହୋଇପାରିଛି ସମ୍ବାଦ ।

ତେବେ କରୋନା କଟକଣା ଯୋଗୁଁ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯାଉ ନଥିବା କହିଛନ୍ତି ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନୟକ । ସେ କହିଛନ୍ତି କରୋନା ମହାମରୀ ସବୁକିଛି ବଦଳାଇ ଦେଇଛି । ବଜାର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ବ୍ୟବସ୍ଥା ଯେଉଁ ମୂଲ୍ୟବୋଧ ସଂକଟର ସମ୍ମୁଖୀନ ହୋଇ ଆସୁଥିଲା କରୋନା ମହାମାରୀ ପ୍ରଭାବରେ ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି । ସେହିପରି ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୧ ବର୍ଷ ପୂରଣ କରିଛି କନକ ନ୍ୟୁଜ୍ ।

ସଠିକ ଓ ସତ୍ୟ ଖବର ପରିବେଷଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସିଛି । ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢେଇ କରି ସତକୁ ସାମ୍ନାକୁ ଆଣିବା ସହ ଓଡିଶାବାସୀଙ୍କ ପସନ୍ଦ ପାଲଟିଛି କନକ ନ୍ୟୁଜ୍ । ବୈଦ୍ୟୁତିକ ଗଣମାଧ୍ୟମମାନଙ୍କ ମଧ୍ୟରେ ଖବର ପ୍ରସାରଣ ଶୈଳୀରେ ପରିବର୍ତନ ଆଣି ସାଢ଼େ ୪ କୋଟି ଜନତାଙ୍କ ସ୍ୱର ପାଲଟିଛି କନକ ନ୍ୟୁଜ୍ ।