ଜଳଦସ୍ୟୁଙ୍କ କବଳରେ କେମିତି କଟିଥିଲା ଦିନ ? ୭୦ ଦିନର ଲୋମଟାଙ୍କୁରା କାହାଣୀ କହିଲେ ଓଡିଆ ନାବିକ ସୁଦୀପ ଚୌଧୁରୀ ।

`

388

କନକ ବ୍ୟୁରୋ : ନାଇଜେରିଆ ଜଳଦସ୍ୟୁଙ୍କ କବଜାରେ ୭୦ ଦିନ ଧରି ବନ୍ଦୀ ଜୀବନ କାଟିବା ପରେ ମୁମ୍ବାଇ ଫେରିଛନ୍ତି ଓଡ଼ିଆ ନାବିକ ସୁଦୀପ ଚୌଧୁରୀ । ଏପ୍ରିଲ ୧୯ ତାରିଖରେ ଅପହୃତ ହେବା ପରେ କିପରି ନାଇଜେରିଆର ଏକ ଘନ ଜଙ୍ଗଲ ଭିତରେ ସେମାନଙ୍କୁ ରଖାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା, କନକ ନ୍ୟୁଜକୁ କହିଛନ୍ତି ସୁଦୀପ । ପ୍ରାୟ ୬୦ ଜଣ ଜଳଦସ୍ୟୁଙ୍କ କଡ଼ା ପହରାରେ କିପରି ଦିନ କାଟୁଥିଲେ, ତାହା ସେ ବର୍ଣ୍ଣନା କରିଛନ୍ତି । ଏହି ୭୦ ଦିନରେ ସୁଦୀପଙ୍କ ଓଜନ ୨୦ କେଜି କମିଯାଇଛି । ଏବଂ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା କନକ ନ୍ୟୁଜକୁ ଫୋନରେ ସୂଚନା ଦେଇଛନ୍ତି ସୁଦୀପ ।

୭୦ ଦିନର ଲୋମଟାଙ୍କୁରା କାହାଣୀ । ଜଳଦସ୍ୟୁଙ୍କ କବଳରେ କେମିତି କଟିଥିଲା ଦିନ ? ଏପ୍ରିଲ ୧୯ ତାରିଖରୁ ନାଇଜେରିଆରେ ଜଳଦସ୍ୟୁଙ୍କ କବଜାରେ ଥିବା ଓଡିଆ ନାବିକ ସୁଦୀପ ଚୌଧୁରୀ ମୁମ୍ବାଇରେ ପହଁଚିଛନ୍ତି । ଭାରତରେ ପହଁଚିବା ପରେ କନକ ନ୍ୟୁଜକୁ ୭୦ ଦିନର ଛାତିଥରା କାହାଣୀ କହିଛନ୍ତି ସୁଦୀପ ।

୧୯ ଏପ୍ରିଲ୍ ୨୦୧୯ । ଭାରତୀୟ ସମୟ ସଂଧ୍ୟା ୭ଟା । ନାଇଜେରିଆର ବୋନି ଦ୍ୱୀପାଂଚଳ । ଘାନାରୁ ବାହାରି ସମୁଦ୍ର ପଥରେ ନାଇଜେରିଆ ଯାଉଥିଲା ଜଳଜାହାଜ ‘ଏମଟି ଆପେକସ୍’ । ମଝି ଦରିଆରେ ଜାହାଜକୁ ଘେରିଗଲେ ସଶସ୍ତ୍ର ଜଳଦସ୍ୟୁ । ଫିଲ୍ମର କାହାଣୀ ଭଳି ଭୟଙ୍କର ଥିଲା ଏହି ବାସ୍ତବ କାହାଣୀ । ଜାହାଜକୁ କବଜା କଲା ପରେ ଉତ୍ପାତ ଆରମ୍ଭ କରିଥିଲେ ୯ ଜଣ ଜଳଦସ୍ୟୁ । ଜାହାଜ ଭିତରେ ୯ ଜଣ ପଶିଥିବା ବେଳେ ଆହୁରି ଅନେକ ଜଗି ରହିଥିଲେ ବାହାରେ । ୫ ଭାରତୀୟଙ୍କ ସମେତ ୭ ଜଣ ନାବିକଙ୍କୁ ଅପହରଣ କରି ନେଇଥିଲେ ସମୁଦ୍ରର ଏହି ସଇତାନ । ସେଥିରେ ଥିଲେ ଓଡ଼ିଶାର ନାବିକ ସୁଦୀପ ଚୌଧୁରୀ ।

ଅପହରଣ ପରେ ନାଇଜେରିଆର ଏକ ଘନ ଜଙ୍ଗଲ ଭିତରୁ ନାବିକମାନଙ୍କୁ ନେଇଥିଲେ ଜଳଦସ୍ୟୁ । ପ୍ରାୟ ୬୦ ଜଣ ସଶସ୍ତ୍ର ଡକାୟତ ଜଙ୍ଗଲ ଭିତରେ ପହରା ଦେଉଥିଲେ । ୭୦ ଦିନ ଧରି ମୃତ୍ୟୁକୁ ଅତି ନିକଟରୁ ଦେଖୁଥିଲେ ଅପହୃତ ନାବିକ । ହେଲେ ଖସିବାର ବାଟ ନଥିଲା । ରାତି ରାତି ଅନିଦ୍ରା ରହୁଥିଲେ, ଖାଇବା ପିଇବା ମଧ୍ୟ ଠିକ୍ ନଥିଲା । ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଦିନ ଗଣୁଥିଲେ ନାବିକ । ଏହି ୭୦ ଦିନରେ ସୁଦୀପଙ୍କ ଓଜନ ୨୦ କେଜି କମିଯାଇଛି । ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ସୁଦୀପ ।

ଗୋଟିଏ ପଟେ ଅପହୃତ ନାବିକଙ୍କ ଜୀବନ ଦୁର୍ବିସହ ହୋଇ ପଡୁଥିଲା, ଅନ୍ୟପଟେ ଜାହାଜ ମାଲିକ ଓ ସରକାରଙ୍କ ସହ ମୁଲଚାଲ କରିଥିଲେ ଜଳଦସ୍ୟୁ । ଉଦ୍ଦେଶ୍ୟ ଥିଲା, ମୋଟା ଆକାରରେ ଟଙ୍କା ଆଦାୟ । ସରକାରଙ୍କ ଉଦ୍ୟମ ଓ ଜାହାଜ ମାଲିକଙ୍କ ସହ ଜଳଦସ୍ୟୁଙ୍କ ବୁଝାମଣା, ନାଇଜେରିଆ ସରକାରଙ୍କ ସହଯୋଗରେ ଜୁନ୍ ୨୭ ତାରିଖରେ ମୁକ୍ତି ପାଇଥିଲେ ଭାରତୀୟ ନାବିକ ।