ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଲଢିବେ ନ୍ୟାୟିକ ଲଢେଇ

109

କନକ ବ୍ୟୁରୋ : ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ନ୍ୟାୟିକ ଲଢେଇ କରିବେ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଏଥିପାଇଁ ସେ ଏକ ସିଭିଲ ସୁଟ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତାଙ୍କ ପାଇଁ ମାମଲା ପରିଚାଳନା କରିବେ ଆଇନଜୀବୀ ସିଦ୍ଧାର୍ଥ ପରିଡା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଏଟିସିପିସି ନୋଟିସ ପଠା ଯାଇଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଅକ୍ଷୟଙ୍କ ଓକିଲ ସିଦ୍ଧାର୍ଥ ପରିଡା ।

ତେବେ ଏ ସଂପର୍କରେ ରାଜ୍ୟ ସରକାର ନେଇଥିବା କେତେକ ପଦକ୍ଷେପକୁ ଉଲ୍ଲେଖ କରାଯାଇଛି । ୨୦୧୭ରେ ଏହାକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାପାଇଁ ଓଡିଶା କ୍ୟାବିନେଟ୍ ପ୍ରାସ୍ତାବ ପାରିତ କରିଥିଲା । ସେହିବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତତକାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଥିଲେ । ଖୋର୍ଦ୍ଧରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସମ୍ବୋଧନ କରିଥିଲେ ।

ଭୁବନେଶ୍ୱରରେ ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସୂଚନା ଦେଇଥିଲେ । ପରବର୍ତୀ ଶିକ୍ଷାବର୍ଷରୁ ଏହାକୁ ଇତିହାସ ପାଠ୍ୟକ୍ରମରେ ସାମିଲ କରିବାକୁ ଘୋଷଣା କରିଥିଲେ । ତେଣୁ ଏହାକୁ ମାନ୍ୟତା ପ୍ରଦାନ ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଆବେଦନ କରି ଏହି ନୋଟିସ କରାଯାଇଛି । ସୂଚନା ଅନୁସାରେ ୬୦ଦିନ ଭିତରେ ନୋଟିସର କୌଣସି ଉତର ନଆସିଲେ ଏହାକୁ ସିଭିଲ ସୁଟ୍ ଭାବେ ଗ୍ରହଣ କରିବେ କୋର୍ଟ ।