ସୁରତରେ ହିନସ୍ତା ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

660

କନକ ବ୍ୟୁରୋ: ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏଭଳି ଅଭାବନୀୟ ଖବର ଆସିଛି ସୁରତରୁ । ଅଭିଯୋଗ ଅନୁଯାୟୀ ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁର ଭଗବାନ ନାୟକ ଦୀର୍ଘଦିନ ହେବ ସୁରତରେ ରହୁଥିଲେ । କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଘରୋଇ କ୍ଲିନିକରେ ଦେଖାଇବା ପରେ ପାଣ୍ଡେସରା ପୋଲିସ କଲୋନୀ ନିକଟ ପ୍ରିୟା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଚିକିତ୍ସା ସମୟରେ ଡାକ୍ତର ୨୫ ହଜାର ଟଙ୍କା ଜମା କରିବାକୁ କହିଥିଲେ । ଟଙ୍କା ମଧ୍ୟ ଧାର ଉଧାର କରି ଜମା କରିଥିଲେ । କିନ୍ତୁ ୩୦ତାରିଖ ସନ୍ଧ୍ୟାରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିଲେ ଏବଂ ୮୫ ହଜାର ଟଙ୍କା ଜମା କରି ଶବ ନେଇଯିବାକୁ କହିଥିଲେ । କିନ୍ତୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରେ ଦେବୁ ବୋଲି କହିଥିଲେ । ଏନେଇ ଯୁକ୍ତ ତର୍କ ବି ହୋଇଥିଲା ।

ତାପରେ ବିଳମ୍ବିତ ରାତିରେ ଶବକୁ ରାସ୍ତା କଡରେ ରଖି ଚାଲିଯାଇଥିଲେ ହସ୍ପିଟାଲ କର୍ମଚାରୀ । ଏନେଇ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟକୁ ଜଣାଇବା ପରେ କର୍ମକର୍ତ୍ତାମାନେ ପହଁଚି ଶବକୁ ଶ୍ମଶାନକୁ ନେଇଥିଲେ । ଏହି ଘଟଣା ପରେ ପ୍ର୍ରବାସୀ ଓଡିଆ ସମାଜ ପକ୍ଷରୁ ସୁରତରେ ବିଜୁ କୃଷକ କାର୍ଡର ବ୍ୟବହାର ଅନୁମତି ଦେବାକୁ ଦାବି କରାଯାଇଛି । ଏଥିସହ ନୋଡାଲ ଅଫିସର ନିଯୁକ୍ତି ଦେବାକୁ ଦାବି କରାଯାଇଛି । ଯାହାଫଳରେ କି ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ ଏହିପରି ସମସ୍ୟାରୁ ବଂଚିତ ହୋଇପାରିବେ ।