ଓଡିଆ ଶ୍ରମିକଙ୍କ ଘରବାହୁଡା: କେରଳରୁ ସ୍ୱତନ୍ତ୍ର ଟ୍ରେନରେ ଓଡିଶା ଆସିଲେ ୧୧ଶହରୁ ଅଧିକ ଯାତ୍ରୀ; ଜଗନ୍ନାଥପୁର ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଓହ୍ଳାଇଲେ ଯାତ୍ରୀ

ନିଆଗଲା ସଙ୍ଗରୋଧ କେନ୍ଦ୍ର; ଟୁଇଟ କରି ଧନ୍ୟବାଦ ଜଣାଇଲେ ନବୀନ

477

କନକ ବ୍ୟୁରୋ: ଘରକୁ ବାହୁଡିଲେ ଓଡିଆ ଶ୍ରମିକ । ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ରାଜ୍ୟ ବାହାରେ ଫସିଥିବା ଓଡିଆ ଶ୍ରମିକ ଘରକୁ ଫେରିଛନ୍ତି । ୧୧୫୦ ଜଣ ଯାତ୍ରୀଙ୍କୁ ନେଇ ଆଜି କେରଳରୁ ପ୍ରଥମ ଟ୍ରେନ୍ ଆସି ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଚିଂଛି । କଡା ସୁରକ୍ଷା ଭିତରେ ୫ଶହରୁ ଅଧିକ ପ୍ରବାସୀ ଓଡିଆ ଓହ୍ଲାଇଛନ୍ତି । ଏବଂ ପରେ ସ୍ୱତନ୍ତ୍ର ବସରେ ସଂପୃକ୍ତ ଜିଲ୍ଲାର ଲୋକମାନଙ୍କୁ ନିଜ ନିଜ ଗ୍ରାମପଂଚାୟତକୁ ଯାଇଛନ୍ତି ।

ଟ୍ରେନରେ କନ୍ଧମାଳ, ଗଜପତି ଓ ଗଂଜାମ ଜିଲ୍ଲାର ଲୋକ ଥିଲେ । ଏହା ପରେ ସ୍ୱତନ୍ତ୍ର ଟ୍ରେନଟି ଜଗନ୍ନାଥପୁର ପରେ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ପହଚିଁଥିଲେ । ୫୫୦ ଯାତ୍ରୀ ଏହି ଷ୍ଟେସନରେ ଓହ୍ଳାଇଛନ୍ତି । ବିଭିନ୍ନ ଜିଲ୍ଲା ପାଇଁ ଗାଡି ଜରିଆରେ ସଂପୃକ୍ତ ଅଂଚଳରେ ପଂଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇଦିଆଯାଇଛି । ସେଠାରେ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବେ । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ତେବେ ଟ୍ରେନ ଯୋଗେ ସମସ୍ତ ଯାତ୍ରୀ ଜଗନ୍ନାଥପୁର ଷ୍ଟେସନରେ ଭଲରେ ପହଚିଂଥିବାରୁ ଗଂଜାମ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟପଟେ, ଅପରେସନ ଶୁଭଯାତ୍ରାରେ ରାଜ୍ୟର ୨୩ ଜିଲ୍ଲାର ଲୋକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଟ୍ରେନ୍ ଆସିଥିବା ବେଳେ ଦିନେ ଦୁଇଦିନଭିିତରେ ଆହୁରି ଦୁଇଟି ଟ୍ରେନ୍ ଓଡିଶା ଆସିବ । ଗତକାଲି ଗୁଜରାଟର ସୁରତରୁ ଆଉ ଏକ ଟ୍ରେନ୍ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏଥିରେ ୧୨ ଶହ ଓଡିଆ ରହିଛନ୍ତି । ଏହି ଟ୍ରେନ୍ ଆସନ୍ତାକାଲି ଭୋରରେ ବ୍ରହ୍ମପୁରରେ ପହଂଚିବ । ଏଥିରେ ଗଂଜାମ ଜିଲ୍ଲାର ସର୍ବାଧିକ ଯାତ୍ରୀ ରହିଛନ୍ତି ।