ପୁଣି ରାଜରାସ୍ତାରେ ଗର୍ଜିଲେ ଓଡିଆ ପାଇକ । ବିଦ୍ରୋହକୁ ମାନ୍ୟତା ମିଳିଲାନି, ମେଢକୁ ବି ନା’

109

କନକ ବ୍ୟୁରୋ: ଆନ୍ଦୋଳନ ଏକ କିନ୍ତୁ ପ୍ରସଙ୍ଗ ଅଲଗା । ରାଜରାସ୍ତାରେ ପୁଣି ଗର୍ଜିଲେ ଓଡିଆ ପାଇକ । ପୂର୍ବରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବାରୁ କରିଥିଲେ ପ୍ରତିବାଦ । ଆଉ ଏବେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପାଇକ ବିଦ୍ରୋହ ସମ୍ବଳିତ ଓଡିଶାର ପ୍ରଜ୍ଞାପନ ମେଢକୁ ଅନୁମତି ନମିଳିବାରୁ କରିଛନ୍ତି ବିକ୍ଷୋଭ ।

ଅଭିଯୋଗ ଅନେକ – କେନ୍ଦ୍ରୀୟ ନେତା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସ୍ୱୀକାର କରିଥିଲେ ମଧ୍ୟ କେନ୍ଦ୍ର ଏହାକୁ ମାନ୍ୟତା ଦେବାକୁ ମନା କରିବା ଓଡିଶା ପ୍ରତି ଅପମାନ । ଆଉ ଏବେ ପାଇକ ବିଦ୍ରୋହ ସେହି ସମାନ କାରଣ ପାଇଁ, ଚୟନ କମିଟି ଦ୍ୱାରା ତିନୋଟି ପର୍ଯ୍ୟାୟରେ ପ୍ରଶଂସିତ ହୋଇଥିଲେ ମଧ୍ୟ ପାଇକ ବିଦ୍ରୋହ ଉପରେ ପର୍ଯ୍ୟବେସିତ ପ୍ରଜ୍ଞାପନ ମେଢ ବାଦ ପଡିଥିବା ଅଭିଯୋଗ ଉଠିଛି ।

ପ୍ରଜ୍ଞାପନ ମେଢକୁ ଅନୁମତି ନମିଳିବାକୁ ନେଇ ଅଣ-ବିଜେପି ରାଜ୍ୟ ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରଛନ୍ତି । କିନ୍ତୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେବାକୁ ଥିବା ପ୍ରଜ୍ଞାପନ ମେଢ ବହୁ ପୂର୍ବର ଚୟନ ହୋଇସାରିଥିଲେ ମଧ୍ୟ ବହୁ ଡେରିରେ ଓଡିଶାରେ ଉଠିଛି ପ୍ରତିବାଦ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ଅସ୍ମିତାକୁ ନେଇ ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ସବୁ ସମ୍ଭାବନାର ଦ୍ୱାର ବନ୍ଦ ହୋଇସାରିଛି । କାରଣ ପ୍ରଜ୍ଞାପନ ମେଢ ନିର୍ମାଣ କରିବା ସମୟ ସାପେକ୍ଷ ହୋଇଥିବା ବେଳେ ଆଉ ପାଞ୍ଚ ଦିନ ପରେ ନୂଆଦିଲ୍ଲୀ ରାଜରାସ୍ତାରେ ଆୟୋଜନ ହେବ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ । ଓଡିଶାର ପ୍ରସ୍ତାବିତ ପ୍ରଜ୍ଞାପନ ମେଢ କେଉଁ କାରଣରୁ ଚୟନ ହେଲାନି ତାହାର ତଥ୍ୟ ମାଗି ପୂର୍ବରୁ କେନ୍ଦ୍ର ସରକାର କିମ୍ବା ଚୟନ କମିଟି ବିରୋଧରେ ପ୍ରତିବାଦ କରାଯାଇପାରିଥାନ୍ତା । ତେଣୁ ଆନ୍ତରିକତା ନଥାଇ କେବଳ ନାମକୁ ମାତ୍ର ବିରୋଧ କରାଯାଉଛି ବୋଲି ଚର୍ଚ୍ଚା ହେଉଛି ।