କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି ।  ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟ ।

Advertisment

ଆଇଆରଏସ୍ ଅଫିସର ହୃଦୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ପିଲାଦିନେ ବହୁ କଷ୍ଟରେ ପାଠ ପଢିବା ସହ ଖେଳକୁଦରେ ବି ବେଶ ଭଲ ଥିଲେ । କଳାହାଣ୍ଡି କପରେ କେନ୍ଦ୍ରାପଡା ଜିଲ୍ଲାର ନେତୃତ୍ୱ ନେଇଥିଲେ । ଭଲ ବ୍ୟାଟର ଭାବେ ପରିଚିତ ଥିବା ହୃଦୟ ଏବେ ଜଣେ ଭଲ ଅଫିସର । ଗାଁର ସରକାରୀ ସ୍କୁଲରେ ପାଠ ପଢିବା ସହ ମାର୍ଶାଘାଇ କଲେଜର ଯୁକ୍ତ ଦୁଇ ପାସ କରିଥିଲେ । ଏହାପରେ ସହ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଇଂଟିଗ୍ରେଟେଡ୍ ଏମସିଏ ପଠିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ । ୨ ଥର ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି କରୁଛନ୍ତି । ଆଉ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ରେଡରେ ତାଙ୍କର ଭୂମିକା ରହିଛି । ଝାଡଖଣ୍ଡର କଂଗ୍ରେସ ସାଂସଦ ତଥା  ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ଟଙ୍କାକୁ ପଦାକୁ କାଢିବାରେ ହୃଦୟଙ୍କର ବଡ ଭୂମିକା ରହିଛି ।