ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର “ପ୍ରତୀକ୍ଷା” ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ହୋଇଛି ମନୋନୀତ

118

କନକ ବ୍ୟୁରୋ :  ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ମନୋନୀତ ହୋଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବ ହାସଲ କରିବା ସହ ଶ୍ରେଷ୍ଠ କାହାଣୀର ମାନ୍ୟତା ପାଇ ରାଜ୍ୟକୁ ଆହୁରି ଗୌରବମୟ କରିଛି। ଦକ୍ଷିଣ ଏସିଆ ଉପମହାଦେଶର ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ବିଶେଷ ଭାବରେ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଓଡ଼ିଆ ଘରର କାହାଣୀକୁ ନେଇ ଓଡ଼ିଆତ୍ଵର ବାସ୍ନାରେ ‘ପ୍ରତୀକ୍ଷା’ ନିର୍ମିତ ହୋଇଛି ଏବଂ ଏହା ଓଡ଼ିଆ ଦର୍ଶକଙ୍କୁ ନିଶ୍ଚିତ ଭାବରେ ବାନ୍ଧି ରଖିବ। ତେଣୁ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର ପାଇଁ ମାଧ୍ୟମ ହୁଅନ୍ତୁ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଓଡ଼ିଆ ଦର୍ଶକଙ୍କୁ ଆନ୍ତରିକ ଅନୁରୋଧ କରିଛନ୍ତି ।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ୟ୍ୟବେସିତ ହୋଇଛି। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ୟ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।

ଆଜିର ପ୍ରେସ୍ ମିଟ୍ ରେ ଅଭିନେତା ଦିପନ୍ୱୀତ, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ,ସିନେମାଟୋଗ୍ରାଫର ଦୀପକ କୁମାର , ଚିତ୍ରନାଟ୍ୟ ଓ ସଂଳାପ ଲେଖକ ରୋସନ୍ ବିଷୋୟୀ ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।