କନକ ବ୍ୟୁରୋ : ଭୁବନେଶ୍ୱର ସ୍ତୁତି ସିନେପ୍ଲେକ୍ସରେ ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ମାଇଣ୍ଡ ଗେମର ସ୍ପେଶାଲ ସ୍କ୍ରିନିଂ । ଫିଲ୍ମ ଦେଖିଲେ ଓଡିଶା ପୋଲିସ ଟିମ । ଓଡିଆ ଚଳଚ୍ଚିତ୍ର ମାଇଣ୍ଡଗେମ ମୁକ୍ତିଲାଭ କରିବା ପୂର୍ବରୁ ପୋଲିସମାନଙ୍କ ପାଇଁ ସ୍ୱତନ୍ତ୍ର ସୋ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସମେତ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ବହୁ ବରିଷ୍ଠ ପୋଲିସ ଅଧିକାରୀ ଫିଲ୍ମ ମାଇଣ୍ଡଗେମ ଦେଖିଛନ୍ତି ।

Advertisment

ଓଡିଶାରେ ଘଟିଥିବା ଚାଂଚଲ୍ୟକର ପାର୍ସଲବୋମା ଘଟଣାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଦୀର୍ଘ ୫ ବର୍ଷ ପୂର୍ବରୁ ପ୍ରୟାସ କରି ମାଇଣ୍ଡଗେମ ଫିଲ୍ମ ନିର୍ମାଣ କରିଛନ୍ତି । ହେଲେ ଫିଲ୍ମ ମୁକ୍ତିଲାଭ ଡେରି ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଥିଲା । ଏବେ ଶୀଘ୍ର ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ମାଇଣ୍ଡଗେମ । ଦର୍ଶକ ବେଶ ଉକ୍ରଣ୍ଠାର ସହ ଫିଲ୍ମଟିକୁ ଅପେକ୍ଷା କରିଥିବାରୁ ଫିଲ୍ମଟି ସଫଳତା ପାଇବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ଏବଂ ଫିଲ୍ମର ପ୍ରଚାର, ପ୍ରସାର ଦାୟିତ୍ୱରେ ଥିବା ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସେପଟେ ସ୍ପେଶାଲ ସ୍କ୍ରିନିଂରେ ଫିଲ୍ମକୁ ଦେଖିବା ପରେ ନିଜ ଅନୁଭୁତି ବଖାଣିଛନ୍ତି କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ।

ମାଇଣ୍ଡଗେମ ଚଳଚିତ୍ରର ମୁଖ୍ୟ ଚରିତ୍ରରେ ଓଡିଆ ପୁଅ ମନୋଜ ମିଶ୍ର ଅଭିନୟ କରିଛନ୍ତି । ସେହିପରି ବଲିଉଡର ଆଗଧାଡିର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ୟଶପାଲ ଶର୍ମା, ତାନକିଲ୍ଲା ଭରନୀଙ୍କ ସହ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି । କିଛି ମାସ ତଳେ ମାଇଣ୍ଡଗେମ ଫିଲ୍ମର ଟ୍ରେଲର ଆସିଥିଲା ଯାହା ଦର୍ଶକଙ୍କ ମନକୁ ଖୁବ ଛୁଇଁଛି, ତେଣୁ ରିଲିଜକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ ।