କନକ ବ୍ୟୁରୋ : ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଲା ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ । ଆଉ ଏହି ସମ୍ମାନ ହାତେଇବା ପରେ ପୁରା ପ୍ରତୀକ୍ଷା ଟିମ୍ ଭିତରେ ଦେଖିବାକୁ ମିଳିଛି ଖୁସିର ଝଲକ ।

Advertisment

୨୦୨୨, ଡିସେମ୍ବର ମାସରେ ସିନେମାଟି ପରଦାକୁ ଆସିଥିଲା । ଓଡିଆ ଦର୍ଶକଙ୍କ ପସନ୍ଦ ପାଲଟିଥିଲା, ବାପା-ପୁଅଙ୍କ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ପ୍ରତୀକ୍ଷା । ଫିଲ୍ମରେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଓ ବର୍ଷାଙ୍କ ଆକର୍ଷଣୀୟ ଅଭିନୟ ଦେଖଣାହାରୀଙ୍କ ମନକୁ ଛୁଇଁଯାଇଥିଲା । ଗୌରହରୀ ଦାସଙ୍କ ଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରତୀକ୍ଷାର କାହାଣୀ ଗତିଶୀଳ ହୋଇଛି ।

ମଧ୍ୟବିତ ପରିବାରରେ ରୋଜଗାରକୁ ନେଇ ଯୁବକଟିଏ କରୁଥିବା ସଂଘର୍ଷ ଏହି ଚଳଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥିଲା । ଫିଲ୍ମଟିର ସଂଳାପ ଲେଖିଛନ୍ତି ରୋସନ ବିଶୋୟୀ । ଏହା ପୂର୍ବରୁ ଅନେକ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇ ବେଶ ପ୍ରଂଶସା ସାଉଁଟି ପାରିଛି । ଏଭଳିକି ବଲିଉଡ ଷ୍ଟାର ଅନୁପମ ଖେର ଏହାର ହିନ୍ଦୀ ରିମେକ କରିବାକୁ ମଧ୍ୟ ଘୋଷଣା କରିଥିଲେ । ଯାହାର କାମ ଏବେ ଜାରି ରହିଛି ।