ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’ । ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତାକାଲି ‘ମଞ୍ଜରୀ’ରେ

Advertisment
ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’ । ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତାକାଲି ‘ମଞ୍ଜରୀ’ରେ

କନକ ବ୍ୟୁରୋ:  ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ  ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । ଯେଉଁଥିରେ ଦର୍ଶକମାନେ ଏକ ଭିନ୍ନ ଧରଣର କାହାଣୀକୁ ଦେଖିବାକୁ ପାଇବେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱାର୍ଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ ହାତରେ ପଡେ ଏକ  ଡାଏରୀ । ସେଇ ଡାଏରୀର ପୃଷ୍ଠାରେ ଲେଖା ଥାଏ ସେମାନଙ୍କ ପୂର୍ବରୁ ସେଇ  କ୍ୱାର୍ଟରରେ ରହୁଥିବା ଅଫିସର ସୁଧୀର ପାଣିଗ୍ରାହୀଙ୍କ ପତ୍ନୀ କଳ୍ପନାର ନିସଙ୍ଗତା. ସ୍ୱପ୍ନ ଓ ସମ୍ପର୍କର କାହାଣୀ । ଡାଏରୀର ଜୀବନ୍ତ ପୃଷ୍ଠାଗୁଡିକ ତା’କୁ ଅତି ନିକଟତର କରି ବସେ କଳ୍ପନା ସହିତ । ହେଲେ କେଇ ପୃଷ୍ଠାର ଲେଖା ପରେ ଅବଶିଷ୍ଟ ପୃଷ୍ଠା ସେମିତି ଅଲେଖା  ହୋଇ ରହିଥାଏ । କଳ୍ପନାର ଚରିତ୍ରକୁ ଏତେ  ପାଖରୁ ପଢିଥିବା ମଧୁ ତା’ର ଅବର୍ତ୍ତମାନରେ ତା’କାହାଣୀର ଅବଶିଷ୍ଟାଂଶ ଜାଣିବା ପାଇଁ ଉତ୍ସୁକ ହୋଇ ଉଠେ । ହେଲେ ତାକୁ କ’ଣ ମିଳେ ସବୁ ପ୍ରଶ୍ନର ଉତ୍ତର? ଏମିତି ରହସ୍ୟ ଓ ରୋମାଞ୍ଚକୁ ନେଇ ଗତିଶୀଳ ହୁଏ ‘ଚରିତ୍ର’ର କାହାଣୀ।

‘ମଞ୍ଜରୀ’ ପକ୍ଷରୁ ପ୍ରସ୍ତୁତ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅନନ୍ୟା  ମିଶ୍ର, ଗାର୍ଗୀ ମହାନ୍ତି, ହର ରଥ, ପାର୍ଥ ସାରଥୀ ରାଏ ଏବଂ ଦୀପାନ୍ୱିତ ଦାସ ମହାପାତ୍ରଙ୍କ ଅଭିନୟ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ଶିଶିର କୁମାର ସାହୁ ଏବଂ ପିନାକୀ ସିଂ ତୁଲାଇଥିବା ବେଳେ ସଙ୍ଗୀତ ଦାୟିତ୍ବ ତୁଲାଇଛନ୍ତି କସ୍ତୁରୀ କୌଶିକ, ଇଶାନ୍ ଶର୍ମା ଓ ଜେରୀ ସିଲଭେଷ୍ଟର ଭିନ୍ସେଣ୍ଟ । ଏହା ସହିତ ସିନେମାରେ ଲଭିତା ଲୋବୋ, ପୂଜା ଭେଙ୍କଟ, ଗୌରବ ଆସନ୍ଦ ଏବଂ କୁଲଦୀପ ପଟ୍ଟନାୟକଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର ଗୀତ ଶୁଣିବାକୁ ମିଳିବ । ଫିଲ୍ମର ଟ୍ରେଲର ଏବଂ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ଏବଂ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

‘ମଞ୍ଜରୀ’ ହେଉଛି ପ୍ରଥମ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଯାହାକୁ ଓଡ଼ିଆ ଦର୍ଶକ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରୁଛନ୍ତି ।  ଓଡ଼ିଶାର ପ୍ରାୟ ସମସ୍ତ ମଲ୍ଟି ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର- ୧୭୬୦), ଡିସ୍ ଟିଭି (ଚାନେଲ ନମ୍ବର-୧୩୦୯), ଡିଟୁଏଚ୍ (ଚାନେଲ ନମ୍ବର- ୮୩୦), ସନ୍ ଡାଇରେକ୍ଟ (ଚାନେଲ ନମ୍ବର- ୬୫୬), ଜିଟିପିଏଲ୍ (ଚାନେଲ ନମ୍ବର- ୭୦୫), ଇଏମ୍ ଡିଜିଟାଲ (ଚାନେଲ ନମ୍ବର-୧୧୪), ହାଥ୍ ୱେ(ଚାନେଲ ନମ୍ବର-୭୩୩) ଓ ସିଟି କେବୁଲ (ଚାନେଲ ନମ୍ବର- ୧୬)ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି । ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡି ହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ୍, ଫେସବୁକ, ଇନଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe