ଓଡିଶା ବାହୁଡିବାକୁ ବଢୁଛି ବ୍ୟଗ୍ରତା । ଲକଡାଉନ ଭିତରେ ଆରମ୍ଭ ହୋଇଛି ପ୍ରବାସୀ ଓଡିଆଙ୍କ ଫେରିବା ପ୍ରକ୍ରିୟା । ନିଜ ଖର୍ଚ୍ଚରେ ବସରେ ସୁରତରୁ ବାହାରିଛନ୍ତି ଶ୍ରମିକ । ୧୪ ଦିନ ସଂଗରୋଧରେ ରଖିବାକୁ ସରକାରଙ୍କ ବଡ ପ୍ରସ୍ତୁତି ।

615

କନକ ବ୍ୟୁରୋ: ଆଜି ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ସେପଟେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏତେ ସଂଖ୍ୟକ ଲୋକ କିପରି ଫେରିବେ, ଅନ୍ୟପଟେ ଏତେ ଲୋକଙ୍କୁ କ୍ୱାରେଂଟିନରେ ରଖାଯିବାର ବ୍ୟବସ୍ଥା କିପରି ହେବ, ଏହା ଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ସୁରତରୁ ଗତକାଲି ୪ଟି ବସ ଓଡ଼ିଶା ଅଭିମୁଖେ ବାହାରିଛି । ଆଜି ମଧ୍ୟ କିଛି ବସ ଓଡ଼ିଶା ଆସୁୁଛି । ଏହାରି ଭିତରେ ଓଡିଶା ଫେରିବାକୁ ଥିବା ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଲକଡାଉନ୍ ଚାଲିଥିବା ବେଳେ ଆରମ୍ଭ ହୋଇଯାଇଛି ସୁରତରୁ ପ୍ରବାସୀ ଓଡ଼ିଆଙ୍କ ଫେରିବା ପ୍ରକ୍ରିୟା । ରବିବାର ଗୁଜରାଟର ସୁରତରୁ ୪ଟି ବସ ଓଡ଼ିଶା ଅଭିମୁଖେ ବାହାରିଛି । ଏହି ବସରେ ସୁରତରେ କାମ କରୁ୍ଥିବା ଗଂଜାମ ଜିଲ୍ଲାର ୨ଶହରୁ ଅଧିକ ଲୋକ ଘରକୁ ଫେରୁଛନ୍ତି । ସୋମବାର ମଧ୍ୟ କିଛି ପ୍ରବାସୀ ସୁରତରୁ ଆଉ କିଛି ବସ ବାହାରି ଥିବା ଜଣାପଡିଛି । କେବଳ ଗୁଜରାଟ ନୁହେଁ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବାକୁ ୫ ଲକ୍ଷରୁ ଅଧିକ ଓଡ଼ିଆ ଅପେକ୍ଷା କରି ରହିଛନ୍ତି । ଗୋଟିଏ ପଟେ ଏତେ ସଂଖ୍ୟକ ଲୋକ କିପରି ଫେରିବେ, ଅନ୍ୟପଟେ ଏତେ ଲୋକଙ୍କୁ କ୍ୱାରେଂଟିନରେ ରଖାଯିବାର ବ୍ୟବସ୍ଥା କିପରି ହେବ, ଏହା ଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । କାରଣ ପଂଚାୟତ ସ୍ତରରେ ୨ ଲକ୍ଷ ଲୋକଙ୍କ ପାଇଁ କ୍ୱାରେଂଟିନ୍ର ବ୍ୟବସ୍ଥା ହୋଇଛି ।

ସୂଚନା ଅନୁସାରେ ଏବେ ସୁରତରୁ ଯେଉଁମାନେ ଫେରୁଛନ୍ତି, ସେମାନେ ୨ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମତି ପରେ ନିଜ ଖର୍ଚ୍ଚରେ ଫେରୁଛନ୍ତି । ଅର୍ଥାତ ରହିଥିବା ଅଂଚଳର ଜିଲ୍ଲାପାଳ ଓ ଫେରୁଥିବା ଅଂଚଳର ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ଆସିବାକୁ ପଡ଼ୁଛି । ମେ’ ୩ରେ ଳକଡାଉନ୍ ହଟିବା ପରେ କିପରି ପ୍ରବାସୀ ଓଡ଼ିଆକୁ ଫେରାଇ ଅଣାଯିବ, ସେ ନେଇ ସରକାର କି ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସୁରତରୁ ଫେରୁଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ କ୍ୱାରେନଟିନରେ ରଖାଯିବ ବୋଲି ଗଂଜାମ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଓଡିଶା ଫେରିବାକୁ ଥିବା ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।