କନକ ବ୍ୟୁରୋ: ଗାଡି ପଠାଇଛି ଗୁଜରାଟ ମାଲିକ । ସରକାରୀ ବସରେ ଆସିଥିଲେ, ଏବେ ଘରୋଇ ବୋଲେରୋରେ ଫେରିଯିବେ । ମହାମାରୀ କରୋନାର ସଂକ୍ରମଣ ଯେମିତି କମୁନାହିଁ, ଦାଦନର ଦୁଃଖ ମଧ୍ୟ ସେମିତି ସରିବା ସମ୍ଭାବନା କମ୍ । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର । କଳ, କାରଖାନା ସବୁ ବନ୍ଦ ହୋଇଯିବାରୁ କାମଧନ୍ଦା ହରାଇ ଘରକୁ ଫେରିବାକୁ ଚାହୁଁଥିଲେ ଖାଇବାକୁ ପାଉନଥିବା ପ୍ରବାସୀ ଶ୍ରମିକ । ଗୁଜରାଟରରେ କାମ କରୁଥିବା ଏହି ଦାଦନଙ୍କୁ ଫେରାଇ ଆଣିବାକୁ ସେତେବେଳେ ସୁରଟରୁ ଗଞ୍ଜାମକୁ ବସ ଚଳାଇଥିଲେ ରାଜ୍ୟ ସରକାର ।

Advertisment

publive-image

ଜୀବନ ଭୟରେ ନିଜ ଗାଁକୁ ସିନା ଫେରିଆସିଥିଲେ । ହେଲେ ଏହାରି ଭିତରେ ଦୀର୍ଘ ୫ ମାସ ହେଲା ଘରେ ହାତ ବାନ୍ଧି ବସିଲେଣି । ଆଉ କେତେଦିନ ଏମିତି ବିନା ରୋଜଗାର ଓ କାମଧନ୍ଦାରେ ଘରେ ବସିରହିବେ? ଏବେ ପରିବାରର ପେଟ ପୋଷିବାକୁ ହେଲେ ପୁଣି କାମକୁ ଫେରିଯିବାକୁ ପଡିବ । ସେଇଥିପାଇଁ ପୁଣି ସୁରଟ ଫେରିଯିବାକୁ ବାହାରିଛନ୍ତି । ସୁରଟରେ ଏମାନେ କାମ କରୁଥିବା ସଂସ୍ଥା ମଧ୍ୟ ଶ୍ରମିକ ଅଭାବରୁ, ପୁଣି ଏମାନଙ୍କୁ ଫେରାଇ ନେବାକୁ ଗାଡି ପଠାଇଛନ୍ତି । ସରକାର କୌଣସି ବିକଳ୍ପ ରୋଜଗାର ଯୋଗାଇ ଦେଇନଥିବାରୁ ଏମାନେ ପୁଣି ଦାଦନ ଖଟିବାକୁ ବାହାରିଥିବା ଅଭିଯୋଗ ବି କରିଛନ୍ତି ।