ପୁଣି ଚିନ୍ତା ବଢ଼ାଇଲେ ପ୍ରବାସୀ! ଟ୍ରେନ୍ ଚେନ୍ ଟାଣି ଖସିଗଲେ ଗଞ୍ଜାମ ଜିଲ୍ଲାର ୨୦୦ ପ୍ରବାସୀ । ଅଭିଯୋଗ କି , ଅଟକିନଥିଲା ଟ୍ରେନ୍ ତେଣୁ ଟାଣିଦେଲୁ ଚେନ୍ ।

1,311

କନକ ବ୍ୟୁରୋ: ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ବାଲିବଗଡ଼ ଠାରେ ଚେନ ପୁଲିଙ୍ଗ କରି ୨ ଶହରୁ ଅଧିକ ପ୍ରବାସୀମାନେ ଓହ୍ଲାଇ ପଡ଼ିଛନ୍ତି ।

ଟ୍ରେନରେ ବହୁ ସଂଖ୍ୟାରେ ଗଂଜାମ ଜିଲ୍ଲାର ଲୋକ ଥିଲେ କିନ୍ତୁ ଟ୍ରେନଟି ଗଂଜାମ ଜିଲ୍ଲାର ଜଗନ୍ନାଥପୁର କିମ୍ବା ବ୍ରହ୍ମପୁର ଷ୍ଟେସନରେ ଅଟକି ନଥିଲା । ଫଳରେ ଟ୍ରେନରେ ବସିଥିବା ପ୍ରବାସୀମାନେ ବିରକ୍ତି ପ୍ରକାଶ କରି ଚେନ ପୁଲିଙ୍ଗ କରିଥିଲେ । ସେମାନେ ସେଠାରୁ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ, ଆରପିଏଫ ପହଞ୍ଚି କିଛି ପ୍ରବାସୀଙ୍କୁ ଅଟକ ରଖିଥିବା ବେଳେ ଆହୁରି କିଛି ପ୍ରବାସୀ ଖସିଯାଇଥିଲେ । ତେବେ ଧରାପଡ଼ିଥିବା ପ୍ରବାସୀମାନଙ୍କର କହିବା ଅନୁସାରେ ଗଂଜାମ ଜିଲ୍ଲାରେ ୨ଟି ଷ୍ଟେସନ ପ୍ରବାସୀଙ୍କ ପାଇଁ ଥିଲେ ମଧ୍ୟ କୌଣସି ଠାରେ ଏହା ନ ଅଟକିବାରୁ ସେମାନେ ବାଧ୍ୟ ହୋଇ ଚେନ ପୁଲିଙ୍ଗ କରିଥିଲେ । କିନ୍ତୁ ପ୍ରବାସୀମାନଙ୍କର ଟ୍ରେନରେ ଏଭଳି ଆଚରଣକୁ ସ୍ଥାନୀୟ ଅଞ୍ଚଳର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗଂଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥବାରୁ ଏବେ ଲୋକଙ୍କର ମନରେ ଡର ପ୍ରବେଶ କରିଯାଇଛି ।